ଗୁଡ୍ଡୁ ମୁସଲିମର ଓଡି଼ଶା ଲିଙ୍କ! ବରଗଡ଼ ବ୍ୟବସାୟୀ ରାଜା ଖାନଙ୍କୁ ଜେରା

229

କନକ ବ୍ୟୁରୋ: କନକ ନ୍ୟୁଜ ହାତରେ ଲାଗିଲା ଏକ୍ସକ୍ଲୁସିଭ ଫଟୋ । ଉତ୍ତର ପ୍ରଦେଶର ଏସଟିଏଫ ଟିମ୍ ବରଗଡ ସୋହେଲା ଅଞ୍ଚଳରେ ଛାନଭିନ କରୁଥିବାର ଏହି ଫଟୋ ହସ୍ତଗତ ହୋଇଛି । ଗତ ୧୭ ଓ ୧୮ ତାରିଖରେ ୟୁପି ଏସଟିଏଫର ଏକ ୫ ଜଣିଆ ଟିମ୍ ବରଗଡକୁ ଆସି ଗୁଡ୍ଡୁ ମୁସଲିମ ସହ ସମ୍ପର୍କ ଥିବା ରାଜା ଖାନ ନାମକ ଯୁବକଙ୍କୁ ପଚରା ଉଚରା କରିଛି । ଫଟୋରେ ଥିବା ବ୍ୟକ୍ତି ହେଉଛି ବରଗଡ ଲୁହୁରାଚଟିରେ ବ୍ୟବସାୟ କରୁଥିବା ରାଜା ଖାନ୍ । ତା ଘର ଛତିଶଗଡରେ, ଆଉ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ସେ ବରଗଡରେ ପରିବାର ସହ ରହୁଥିଲା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଗୁଡ୍ଡୁ ମୁସଲିମର ଡ୍ରାଇଭର ଥିଲା ରାଜା । ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟାକାଣ୍ଡ ପରେ ପୋଲିସ ଆଖିରେ ଧୂଳିଦେଇ ଲୁଚିବୁଲୁଛି ତାର ଘନିଷ୍ଠ ଗୁଡ୍ଡୁ ମୁସଲିମ । ପୂର୍ବ ସଂପର୍କ ଆଧାରରେ ଗୁଡ୍ଡୁ କାଳେ ରାଜା ସହ ଯୋଗାଯୋଗ କରିଥିବ ସେହି ଆଶଙ୍କାରେ ତାକୁ ଜେରା କରିବାକୁ ପହଞ୍ଚିଥିଲା ୟୁପି ଏସଟିଏଫ । ଏଥିପାଇଁ ବରଗଡ ପୋଲିସ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ୟୁପି ପୋଲିସର ଛାନଭିନ ପରେ ଫେରାର ହୋଇଯାଇଛି ରାଜା । ବରଗଡ ଜିଲ୍ଲା ସୋହେଲା, ଲୁହୁରାଚଟି ଓ ଭଟଲି ଛକ ନିଗମାନନ୍ଦ ବିହାର ଭଳି ବିଭିନ୍ନ ସ୍ଥାନରେ ରହିଛି ରାଜା ଖାନର ଘର । ଗୁଡ୍ଡୁ ମୁସଲିମ ସହ ଲିଙ୍କ ମାମଲାରେ ୟୁପି ଏସଟିଏଫର ପଚରା ଉଚରା ପରେ ଘରେ ତାଲା ମାରି ପରିବାର ସହ ଫେରାର ହୋଇଯାଇଛି ରାଜା । ଶୁଣିବାକୁ ମିଳୁଛି ବିଭିନ୍ନ ବେଆଇନ କାମରେ ଲିପ୍ତ ଥିଲା ରାଜା ଖାନ୍ ।

ରାଜା ଖାନ୍ ବିରୋଧରେ ଅଭିଯୋଗ
– ବିଭିନ୍ନ ତନଖି ଫାଟକରେ ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକର ସେଲ୍ସଟାକ୍ସ ଫାଙ୍କିରେ କରୁଥିଲା ସହାୟତା
– ଓଭର ଲୋଡ୍ ଗାଡି ଗୁଡିକୁ ତନଖି ଫାଟକରେ ବେଆଇନ ଭାବେ ପାସ କରିବାରେ ସହଯୋଗ କରୁଥିଲା
– ବଡ ବଡ ଟ୍ରାନ୍ସପୋର୍ଟ କମ୍ପାନି ସହ ନିଜର ସମ୍ପର୍କ ସ୍ଥାପନରେ ସହାୟତା କରୁଥିଲା ତାର ଏହି ବେଆଇନ କାରବାର
– ଏହାବାଦ୍ ବିଭିନ୍ନ ବେଆଇନ କାମରେ ସମ୍ପୃକ୍ତି ଅଭିଯୋଗରେ ତା ନାଁରେ ଏକାଧିକ ମାମଲା ରହିଛି

ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ଭିତରୁ ଅନ୍ୟତମ ଗୁଡ୍ଡୁ ମୁସଲିମ୍ । ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଗୁଡ୍ଡୁ ସମେତ ୪ ଜଣ ଏବେ ଫେରାର ଅଛନ୍ତି । ଗୁଡ୍ଡୁକୁ ଧରିବା ପାଇଁ ୟୁପି ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଗ୍ୟାଙ୍ଗଷ୍ଟର ଅତିକର ଭାଇ ଅସରଫକୁ ଗୁଳିମାଡ ପୂର୍ବରୁ ସେ ଗୁଡ୍ଡୁ ମିସଲିମର ନାଁ ନେଇଥିଲା, ତା ପରଠୁ ଚର୍ଚ୍ଚାରେ ଅଛି ଗୁଡ୍ଡୁ । ଆଉ ତା ଲିଙ୍କରେ ୟୁପି ପୋଲିସ ଓଡିଶାରେ ଆସି ଛାନଭିନ କରିବା ସବୁଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି ।