ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ । ୯ଜଣଙ୍କ ଅବସ୍ଥା ଗୁରୁତର, ୧୩ ଆହତ

157

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ବାଲିପାଟଣା ଓଡ଼ଖଣ୍ଡ ମହାପାତ୍ର ସାହିରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ର, ଶାବଳ, ଲୁହାରଡ ଓ ଠେଙ୍ଗାରେ ଆକ୍ରମଣ କରିବାରୁ ପ୍ରାୟ ୧୩ ଜଣରୁ ଅଧିକ ଆହତ ହୋଇଛନ୍ତି ।

ବାଲିପାଟଣା ଥାନା ପିସିଆର ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଜମିବାଡିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ବିବାଦୀୟ ଜାଗାରୁ ଗୋଟିଏ ଗୋଷ୍ଠୀ ମାଟି ଉଠାଇବାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶେଷରେ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା । ଉଭୟ ପକ୍ଷ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା । ସେଠାରେ ଫେରିବା ପରେ ରାତିରେ ଗୋଟିଏ ପକ୍ଷ ଅନ୍ୟପକ୍ଷକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।