କର୍କଟ ଔଷଧର ମୂଲ୍ୟ କମିଲା ! ୮ ମାର୍ଚ୍ଚ ଠାରୁ ଲାଗୁ ହେବ ସଂଶୋଧିତ ମୂଲ୍ୟ

97

କନକ ବ୍ୟୁରୋ : କର୍କଟ ରୋଗ ଭାରତରେ ଅସଂକ୍ରାମକ ରୋଗ ଜନିତ ଅସୁସ୍ଥତା ଏବଂ ମୃତ୍ୟୁର ଏକ ପ୍ରମୂଖ କାରଣ ଭାବେ ଉଭା ହୋଇଛି । ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୦୪ରେ ବାର୍ଷିକ ୮ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ୨୦୧୮ରେ ଏହା ପାଖାପାଖି ୧୫ ଲକ୍ଷରେ ପହଂଚିଛି । ଏପରିକି ଏହି ରୋଗ କାରଣରୁ ଦୁଇ-ତୃତୀୟାଂଶ ରୋଗୀଙ୍କର ମୃତ୍ୟୁ ଘଟୁଛି । ବର୍ତ୍ତମାନ ଭାରତରେ ୨୨.୫ ଲକ୍ଷ କର୍କଟ ରୋଗୀଥିବା ଆକଳନରୁ ଜଣାଯାଇଛି ।

ଅନ୍ୟ ରୋଗ ଅପେକ୍ଷା କର୍କଟ କାରଣରୁ ଚିକିତ୍ସାଜନିତ ଖର୍ଚ୍ଚ ବହୁତ ଅଧିକ । ଏହାକୁ ଆଖି ଆଗରେ ରଖି ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୬ ଫେବୃଆରୀ ୨୦୧୯ରେ ଅନୁଷ୍ଠିତ ଏକ ବୈଠକରେ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସାଧାରଣ କ୍ଷମତାର ପ୍ରୟୋଗ କରିଛି । ଔଷଧ (ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ ୨୦୧୩)ର ପାରା ୧୯ ଅନୁଯାୟୀ ୪୨ଟି ଅଣଅଧିସୂଚୀତ କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ବାଣିଜ୍ୟିକ ଲାଭ ସୀମାକୁ ଯୁକ୍ତିଯୁକ୍ତ କରାଯାଇ ଏହା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଅଧିସୂଚୀତ ବ୍ୟବସ୍ଥା ଅନୁଯାୟୀ ୫୭ଟି କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ବର୍ତ୍ତମାନ ଆହୁରି ୪୨ଟି ଅଣଅଧିସୂଚୀତ କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ଏଗୁଡିକର ବିକ୍ରି ମୂଲ୍ୟ (ଏମଆରପି)ରେ ବାଣିଜ୍ୟିକ ଲାଭ ପରିମାଣକୁ ସର୍ବାଧିକ ୩୦ ପ୍ରତିଶତ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନପିପିଏ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହା ୭୨ଟି ବ୍ୟବସ୍ଥା ଏବଂ ୩୫୫ଟି ବ୍ରାଣ୍ଡକୁ କଭର କରିବ । ୮ ମାର୍ଚ୍ଚ ୨୦୧୯ଠାରୁ ସଂଶୋଧିତ ମୂଲ୍ୟ ଲାଗୁ ହେବ । ଏନପିପିଏ ନିକଟରେ ରହିଥିବା ତଥ୍ୟ ଅନୁଯାୟୀ, ୧୦୫ଟି ବ୍ରାଣ୍ଡର ଔଷଧ ଉପରେ ୮୫ ପ୍ରତିଶତ ପର‌୍ୟ୍ୟନ୍ତ ଉପଯୁକ୍ତ ମୂଲ୍ୟ ହ୍ରାସ କରାଯାଇଛି । ଏବେସୁଦ୍ଧା ପ୍ରାୟ ୧ ହଜାର ଔଷଧ ଉପରେ ମୂଲ୍ୟ ହ୍ରାସ ଲାଗୁ କରାଯାଇଛି ।