କାଳ ସାଜିଲା ଭୁଲ୍ ଔଷଧ, ଶିଶୁକନ୍ୟାର ଆଖି ଫୁଟିଗଲା ! ଡାକ୍ତର ଓ ନିରାମୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଲେ ପରିବାର ସଦସ୍ୟ

899

କନକ ବ୍ୟୁରୋ : ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଓ ଭୁଲ୍ ଔଷଧ ଯୋଗୁଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ନଛିପୁର ଗ୍ରାମର ଜଣେ ଶିଶୁକନ୍ୟା ଆଖି ହରାଇ ବସିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ।

ଶିଶୁକନ୍ୟାର ବାପା ଚନ୍ଦ୍ରକାନ୍ତ ଗୋଚ୍ଛାୟତ ଏବଂ ମା’ ବିଜୟିନୀଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଝିଅ ରିଙ୍କି ଗୋଚ୍ଛାୟତ (୬) ଏକ ହେଡ୍‌କ୍ଲିପ୍ ମୁଣ୍ତରେ ଲଗାଉଥିବା ବେଳେ ତାହା ବାମ ଆଖିରେ ବାଜି ଯାଇଥିଲା। ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ସକାଳକୁ ଆଖିଟି ଲାଲ୍ ପଡ଼ିଯାଇଥିଲା । ଝିଅକୁ ସେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ କୌଣସି ଚକ୍ଷୁ ଡାକ୍ତର ନଥିବାରୁ ତାଙ୍କୁ ନୟାଗଡ଼ ପଠାଇଦିଆଯାଇଥିଲା । ସେଠାରୁ ସେମାନେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବାହ୍ଣ ୧୧.୩୫ରେ ଏକ ଟିକେଟ୍ କରିବା ସହ ଚକ୍ଷୁ ବିଭାଗରେ ଥିବା ଡାକ୍ତରଙ୍କୁ ଦେଖାଇଥିଲେ ।

ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଦେବା ସହ ଭୁବନେଶ୍ବର ନେଇ ଦେଖାଇବାକୁ କହିଥିଲେ । ପ୍ରେସ୍‌କ୍ରିପ୍‌ସନ୍‌ ନେଇ ରିଙ୍କିର ବାପା ନିରାମୟ କେନ୍ଦ୍ରରୁ ଔଷଧ ଆଣିଥିଲେ। ନିରାମୟ କେନ୍ଦ୍ରରୁ ସାଇରନ୍ ନାମକ ଏକ ଡ୍ରପ୍‌ ମିଳିଥିଲା । ଏହାକୁ ନେଇ ସେ ପୁନର୍ବାର ଡାକ୍ତରଙ୍କୁ ଦେଖାଇବା ସହ କିଭଳି ପକାଯିବ ପଚାରିଥିଲେ । ମାତ୍ର ଡାକ୍ତର ଠିକ୍‌ ଥିବା କହି ଏହାକୁ ଦିନକୁ ୪/୫ ଥର ପକାଇବା ପାଇଁ ପରାମର୍ଶ ଦେଇଥିଲେ । ସେଦିନ ରିଙ୍କିର ଆଖିରେ ୪/୫ ଥର ଔଷଧ ପକାଇବା ପରେ ଆଖିଟି ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଥିଲା । ତେଣୁ ପରଦିନ ଅର୍ଥାତ୍ ୩୦ ତାରିଖ ଦିନ ରିଙ୍କିକୁ ଭୁବନେଶ୍ବରସ୍ଥିତ ଏଲ୍.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା ।

ସେଠାରେ ଡାକ୍ତର ପୂର୍ବ ଔଷଧ ଦେଖିବା ପରେ ଏହା କାନ ଡ୍ରପ୍‌ ବୋଲି କହିଥିଲେ ଏବଂ ଏହି ଔଷଧ ପକାଇବା ଦ୍ବାରା ଆଖି ଅଧିକ ଗୁରୁତର ହୋଇ ନଷ୍ଟ ହେବାକୁ ଯାଉଥିବା କହିଥିଲେ । ଏଥି ସହ ଆଖିର ଫୁଲା କମିବା ପରେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ । ଏହା ପରେ ପରିବାର ଲୋକେ ଅନ୍ୟ ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଦେଖାଇଥିଲେ । ସେଠାରେ ଡାକ୍ତର ସେହି ସମାନ କଥା କହିବା ପରେ ରିଙ୍କିଙ୍କୁ ଏଲ୍.ଭି ପ୍ରସାଦ ଅଣାଯାଇ ସେଠାରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ରହିବା ପରେ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଫୁଟି ଯାଇଥିବା ଜଣାପଡ଼ିଛି। ଏବେ ଡାକ୍ତର ଔଷଧ ଦେଇ ଘରକୁ ପଠାଇ ଦେଇଥିବା ବେଳେ, ୨/୩ ଦିନ ମଧ୍ୟରେ ଅସ୍ତ୍ରୋପଚାର କରି ଆଖିଟିକୁ ସମ୍ପୂର୍ଣ୍ଣ ବାହାର କରିବା ପାଇଁ ସମୟ ଦେଇଛନ୍ତି । କିନ୍ତୁ ଏହି ଅସ୍ତ୍ରୋପଚାର ପାଇଁ ଏବେ ଅର୍ଥ ବାଧକ ସାଜିଥିବା ପରିବାର ଲୋକେ କହିଛନ୍ତି ।

ଚନ୍ଦ୍ରକାନ୍ତଙ୍କର ଦୁଇଟି ଝିଅ ଥିବା ବେଳେ ରିଙ୍କି ହେଉଛି ସାନଝିଅ । ଅଙ୍ଗନବାଡି ଯାଇ ଭଲ ପାଠ ପଢ଼ୁଥିବା ବେଳେ ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ତାଙ୍କ ଝିଅର ଆଜି ଭବିଷ୍ୟତ ଅନ୍ଧାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଏଥିପାଇଁ ସେ ଉଭୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ତାଙ୍କୁ କିଭଳି ନ୍ୟାୟ ମିଳିପାରିବ ସେ ନେଇ  ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି  । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ବେତ କୁମାର ମହାପାତ୍ରଙ୍କ କହିବା ଅନୁଯାୟୀ, ସେଦିନ କିଏ ଡ୍ୟୁଟିରେ ଥିଲା ଦେଖିବାକୁ ପଡ଼ିବ । ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ଆବଶ୍ୟକ ‌ବୋଲି ମତ ପ୍ରକାଶ ପାଇଛି ।