ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ। ଶୀତ ଆରମ୍ଭରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ।

72

କନକ ବ୍ୟୁରୋ: କିଚିରି ମିଚିରି ଶଦ୍ଦରେ ଗୁଞ୍ଜରିତ ହୋଇଉଠୁଛି ପରିବେଶ । ବିହଙ୍ଗାରଣ୍ୟ ହୋଇଉଠିଛି ଚିଲିକା କୂଳ । ଶୀତ ଆଗମନର ଆରମ୍ଭରୁ ଲାଗିଛି ବିଦେଶୀ ପକ୍ଷୀଙ୍କ ଭିଡ । ଚିଲିକାର ନୀଳ ଜଳରାଶିରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ଏହି ସ୍ଥାନରେ କୁହୁଡିଆ ସକାଳ ସହ ରଙ୍ଗ ବେରଙ୍ଗର ପକ୍ଷୀ ସୌନ୍ଦର୍ଯ୍ୟକୁ ଯେମିତି ଆହୁରି ଦ୍ୱିଗୁଣିତ କରୁଛି ।

ଶୀତ ଆଗମନରେ ଚିଲିକାକୁ ଛୁଟି ଆସୁଛନ୍ତି ବହୁ ସାଇବେରିଆନ୍ ପକ୍ଷୀ । ନର୍ଦଲ ପିଟେଂଲ, ନର୍ଦଲ ଶୋଭଲର, ରୁଡିସେଲଡକ, ଗଡୱାଲ, କମନକୂଟ, ଓପନବିଲିଷ୍ଟର୍କ ଆଦି ପକ୍ଷୀ ପହଞ୍ଚି ଭିଡ ଜମାଇଛନ୍ତି । ସଦୂର ସାଇବେରିଆରୁ ନେଇ ଲଦାଖରୁ ବି ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଛୁଟିଆସୁଛନ୍ତି ଏହି ସବୁ ବିଦେଶୀ ପକ୍ଷୀ । ଏବେ ପାଖାପାଖି ୩୦ହଜାରରୁ ଅଧିକ ପକ୍ଷୀ ଚିଲିକାରେ ଭିଡ ଜମାଇଛନ୍ତି ।

ଶୀତ ଯେତିକି ବଢିବ ପକ୍ଷୀଙ୍କ ସମାଗମ ସେତିକି ଅଧିକରୁ ଅଧିକ ହେବ । ପକ୍ଷୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେପଟେ ଏହିଭଳି ସୌନ୍ଦର୍ଯ୍ୟମୟ ପରିବେଶର ମଜା ଉଠାଇବାକୁ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଲାଗିଲାଣି ।