ଋଣ ଖିଲାପି ମାମଲାରେ ୯୩୦ ଚାଷୀଙ୍କ ବିରୋଧରେ ଜାରିହେଲା ୱାରେଣ୍ଟ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ୟୁନିୟନ

312

କନକ ବ୍ୟୁରୋ : ଦେଶର ହଜାର ହଜାର କୋଟି ଟଙ୍କା ନେଇ ବ୍ୟବସାୟୀମାନେ ଫେରାର ହୋଇଯାଉଛନ୍ତି । ସେପଟେ ଦେଶର ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ସରକାର ଶହ ଶହ କୋଟି ଟଙ୍କାର ଋଣ ଛାଡ କରୁଛନ୍ତି । ହେଲେ ନିଜର ପେଟ ପାଟଣା କୃଷି କ୍ଷେତ୍ରରେ ବିନିଯୋଗ କରିବାକୁ ବ୍ୟାଙ୍କରୁ ମାତ୍ର କେଇଟା ଟଙ୍କା ଋଣ ନେଇଥିବା ଚାଷୀ ବାପୁଡା ଉପରେ ଲାଗୁଛି ୱାରେଣ୍ଟ । ଏଭଳି କିଛି ଦେଖିବାକୁ ମିଳିଛି ପଞ୍ଜାବରେ । ଏଠାରେ ୯୩୦ ଜଣ ଚାଷୀଙ୍କ ଉପରେ ଋଣ ଖିଲାପ ଅଭିଯୋଗରେ ବ୍ୟାଙ୍କ ଲଗାଇଛି ୱାରେଣ୍ଟ । ଏହାକୁ ନେଇ ପଞ୍ଜାବର କୃଷକ ସଂଗଠନ କିର୍ତ୍ତି କିଷାନ ୟୁନିୟନ ତରଫରୁ ଏନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । କିଷାନ ନେତାମାନେ କହିଛନ୍ତି କି ବ୍ୟାଙ୍କ ଓ ସରକାର ମିଳିତ ଭାବେ ଏହି ଷଡଯନ୍ତ୍ର ରଚିଛନ୍ତି । ହେଲେ ରାଜ୍ୟର କୃଷକମାନେ ଖୁବଶୀଘ୍ର ଏନେଇ ରାସ୍ତାକୁ ଓହ୍ଲାଇବେ ।

ଏଭଳି ସ୍ଥଳେ ସହକାରୀ ସମିତିର ସହାୟକ ରେଜିଷ୍ଟାର ସ୍ୱର୍ଣ୍ଣଜିତ ସିଂ ସଫେଇ ଦେବାକୁ ଯାଇ କହିଛନ୍ତି କି, କେବଳ ୱାରେଣ୍ଟ ଜାରି କରାଯାଇଥିବା ବେଳେ କୌଣସି କୃଷକଙ୍କୁ ଗିରଫ କରାଯାଇ ନାହିଁ । ଏହାସହ ସେ କହିଛନ୍ତି କି ସେହି କୃଷକମାନଙ୍କ ଉପରେ ୱାରେଣ୍ଟ ଜାରି କରାଯାଇଛି ଯେଉଁମାନେ ଘର ନିର୍ମାଣ କରିବା ସହ କୃଷି ବ୍ୟତୀତ ଅନ୍ୟ ଉର୍ଦ୍ଦେଶ୍ୟରେ ଋଣ ନେଇଥିଲେ । ଏହାସହ ସେମାନେ ଏହି ଋଣ ନେବାର ଦୀର୍ଘଦିନ ହୋଇଯାଇଥିଲେ ବି ଋଣ ପରିଶୋଧ କରି ନାହାଁନ୍ତି ।