ସିଲ ହୋଇଥିବା ସାମଗ୍ରୀ ଜବତ ବେଳେ ଉତ୍ତେଜନା । ପୋଲିସ-ସାଧାରଣ ଲୋକ ମୁହାଁମୁହିଁ

403

କନକ ବ୍ୟୁରୋ : ବାସୁଦେବପୁର ସହରରେ ଗଢ଼ି ଉଠିଥିବା ଠକ ସଂସ୍ଥା ଦୁର୍ଗା ଏଜେନ୍ସିର ସିଲ୍ ହୋଇଥିବା ସାମଗ୍ରୀ ଜବତ ବେଳେ ଉତେଜନା । ଲୋକମାନେ ସାମଗ୍ରୀ ନ ଛାଡିବାରୁ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି । ପ୍ରତିବାଦରେ ବହୁ ସଂଖ୍ୟାରେ ଲୋକ ସହରର ବ୍ଲକ୍ ରୋଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରିସ୍ଥିତି ଜଟିଳ, ହେବାରୁ ଲୋକମାନଙ୍କୁ ପୁଲିସ ଘଉଡାଇବା ସହ ପାଂଚ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ କିଛି ଦିନ ତଳେ ବାସୁଦେବପୁର ସହରର ବ୍ଲକ ରୋଡରେ ଦୁର୍ଗା ଏଜେନ୍ସି ନାମକ ଏକ ସଂସ୍ଥା ଗଢ଼ି ଉଠିଥିଲା । ଏହି ସଂସ୍ଥା ଲୋକମାନଙ୍କଠାରୁ ଅଗ୍ରୀମ ଟଙ୍କା ନେଇ କମ୍ ମୂଲ୍ୟରେ ଘରୋଇ ସାମଗ୍ରୀ ଓ ଇଲକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଇ ଦେଉଥିଲା ।

ଏପରିକି ସାମଗ୍ରୀର ବଜାର ଦରଠାରୁ ଅଧା ଦାମରେ ଦେଉଥିଲା ଏହି ସଂସ୍ଥା । ହେଲେ ଗତ ୨୧ ତାରିଖରେ ଏହି ସଂସ୍ଥାର ମାଲିକ ଲୋକମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତି କରି ଦୁର୍ଗା ଏଜେନ୍ସି କାର୍ଯ୍ୟାଳୟରେ ଥିବା ପ୍ରାୟ ପାଂଚ ଲକ୍ଷ ଟଙ୍କାର ସମ୍ପତିକୁ ଜବତ କରିବାକୁ ଯାଇଥିଲା ପୋଲିସ୍ । ଏହି ସମୟରେ ଠକାମିର ଶିକାର ହୋଇଥିବା ଲୋକମାନେ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ କ୍ଷତିଗ୍ରସ୍ତଙ୍କ ସହ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।