ମୋଦି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ : ଚର୍ଚ୍ଚାରେ ରହିଗଲା ଧର୍ମେନ୍ଦ୍ରଙ୍କ ପଦୋନ୍ନତି

33

ଦିଲ୍ଲୀ ବ୍ୟୁରୋ ,କନକ ନ୍ୟୁଜ୍ : କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ମୋଦି ସରକାରଙ୍କ ଦୁଇବର୍ଷ ପୂର୍ତି ପରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି । ଆଜି ରାଷ୍ଟ୍ରପତି ଭବନରେ ଶପଥ ନେଇଛନ୍ତି ୧୯ ନୂଆ ମନ୍ତ୍ରୀ । ଏମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରାଯାଇଛି । ପଛୁଆ ଜାତି, ଦଳିତ ଓ ଆଗକୁ ବିଧାନସଭା ନିର୍ବାଚନ ଥିବା ରାଜ୍ୟଗୁଡିକୁ ଅଧିକ ପ୍ରତିନିଧିତ୍ୱ ମିଳିଛି । ପରେ ବିଭାଗ ବଂଟନ ହେବ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୌଣସି ପଦୋନ୍ନତି ଦିଆଯାଇ ନାହିଁ । କେବଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣି ଧର୍ମେନ୍ଦ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ପାହ୍ୟାରେ ସନ୍ତୁଷ୍ଟ ହେବାକୁ ପଡିଛି । ପ୍ରଦର୍ଶନ ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଧାନମନ୍ତ୍ରୀଙ୍କୁ ମିଶାଇ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୬୬ ମନ୍ତ୍ରୀ ଥିଲେ । ଏବେ ନୂଆ ୧୯ ମନ୍ତ୍ରୀ ସାମିଲ ହେବା ପରେ ସଂଖ୍ୟା ୮୫ ଛୁଇଁଛି । ତେବେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ମନ୍ତ୍ରୀମଣ୍ଡଳରେ ୮୨ ମନ୍ତ୍ରୀ ରହିବା ନିୟମ ଥିବାରୁ ୬ଜଣ ମନ୍ତ୍ରୀ ଇସ୍ତଫା ଦେଉଥିବା ସୂଚନା ମିଳିଛି ।