ଜଳପଥ ଓ ଉପକୂଳର ସୁରକ୍ଷା ପାଇଁ ସମରାଭ୍ୟାସ । ସାଗର କବଚ-ଟୁ ଜରିଆରେ ସମୁଦ୍ରରେ ଦମ୍ ଦେଖାଇଲା ଭାରତୀୟ ସେନା

140

କନକ ବ୍ୟୁରୋ : ଉପକୂଳ ଓ ଜଳପଥରେ କଡ଼ା ପ୍ରହରା । ସେନାର ସମରାଭ୍ୟାସ– ସାଗର କବଚ–ଟୁ । ୨୬-୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି । ଜଳପଥ ଉପରେ ନଜର ରଖିବା ପାଇଁ ପ୍ରତି ବର୍ଷ ଦୁଇ ଥର ସମରାଭ୍ୟାସ କରାଯାଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଉଦ୍ଦେଶ୍ୟରେ ସାଗର କବଚ–ଟୁ କରାଯାଉଛି ।

ଦୁଇ ଦିନିଆ ମିଳିତ ସମରାଭ୍ୟାସରେ ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି । ଭାରତୀୟ ନୌ-ସେନା, ମେରାଇନ, କୋଷ୍ଟ ଗାର୍ଡ ଓ ଗୁଇନ୍ଦା ବିଭାଗ ସମରାଭ୍ୟାସ କରୁଛି । ଉପକୂଳବର୍ତ୍ତୀ ୨୦ କିଲୋମିଟର ସମୁଦ୍ରରେ କର୍ମଚାରୀମାନେ ପଇଁତରା ମାରୁଛନ୍ତି । ଓଡିଶାର ପାରାଦୀପ ଓ ତଳସାରୀ ବେଳଭୂମୀରେ ସେନାର ସମରାଭ୍ୟାସ ଦେଖିବାକୁ ମିଳିଛି । ବିଭିନ୍ନ ବିଭାଗ କର୍ମଚାରୀଙ୍କୁ ରେଡ୍ ଓ ବ୍ଲୁ ଟିମରେ ଭାଗ କରାଯାଇଛି । ରେଡ୍ ଟିମ୍ ସମୁଦ୍ର ପଥରେ ଆସି ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନକଲି ବୋମା ରଖୁଥିବା ବେଳେ ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି । ଏହିଭଳି ଢଙ୍ଗରେ ୨ ଦିନ ହେବ ସମରାଭ୍ୟାସ– ସାଗର କବଚ–ଟୁ କରାଯାଇଛି ।

ସାଗର କବଚ–ଟୁ ଜରିଆରେ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ରରେ ଦମ୍ ଦେଖାଇଛନ୍ତି ସୁରକ୍ଷାବାହିନୀ । ନୌ-ସେନା ଓ କୋଷ୍ଟଗାର୍ଡ ବୋଟ, ଜାହାଜ ଓ ହଲେକପ୍ଟର ଯୋଗେ ସମରାଭ୍ୟାସ କରି ଶତ୍ରୁଙ୍କୁ ସତର୍କ କରାଇ ଦେଇଛି ଭାରତୀୟ ସେନା ।