ମନ୍ତ୍ରୀମଣ୍ଡଳରୁ ବିଦା ପରେ କନକ ନ୍ୟୁଜକୁ ଦାମ ରାଉତଙ୍କ ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ମନ୍ତ୍ରୀ ହୋଇଥିଲି, ନିଷ୍ପତିରେ ଦୁଃଖ କରିବାରେ ନାହିଁ
କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପରେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଦାମୋଦର ରାଉତ । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାରେ ମନ୍ତ୍ରୀ ହୋଇଥିଲି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ଦୁଃଖ କରିବାର ନାହିଁ । ରାଜନୀତି ଏକ ପ୍ରକ୍ରିୟା ମାତ୍ର । ଏବେ ମୁଁ ଲୋକଙ୍କ ପାଇଁ ଅଧିକ ସମୟ ଦେବି’ । ବର୍ତ୍ତମାନ ୨୬ ତାରିଖରେ ପୁରୀରେ ହେବାକୁ ଥିବା ସମାବେଶ ପାଇଁ ବ୍ୟସ୍ତ ଅଛି ବୋଲି କହିଛନ୍ତି ଦାମ । ଦାମ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଯିଏ ଅସ୍ଥା ହରାଏ ସେ ମନ୍ତ୍ରୀ ପଦବୀରେ ରହେ ନାହିଁ । ବିଧାୟକ ହୋଇ ରହିବାରେ କୌଣସି ଅସୁବିଧା ନାହିଁ’ । ବିଜୁ ବିଚାର ମଂଚ ଉପରେ ଦାମ କହିଛନ୍ତି, ଏହା କୌଣସି ରାଜନୈତିକ ମଂଚ ନୁହେଁ । ଏହି ମଂଚ ଲୋକଙ୍କ ସମସ୍ୟା ପାଇଁ କାମ କରେ । ବ୍ରାହ୍ଣଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଗତକାଲି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଖବର ସିରୋନାମା ସାଜୁଥିବା ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ । କହିଛନ୍ତି ସୁପ୍ରିମୋଙ୍କ ବହିଷ୍କାର ନିଷ୍ପତି ଉଚିତ୍ ଓ ଠିକ୍ । ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଇ ଦାମଦୋର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଥିଲେ ବୋଲି ଦେବାଶିଷ କହିଛନ୍ତି । ଦାମଙ୍କ ଏଭଳି ଆଚରଣ ବିରୋଧୀଙ୍କୁ ରାଜନୈତିକ ଖୋରାକ୍ ଯୋଗାଉଥିଲା । ତେଣୁ ଠିକ୍ ସମୟରେ ଉଚିତ୍ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦଳରେ ତାଙ୍କର ବହିଷ୍କାରର ପ୍ରଭାବ ପଡିବନି କିନ୍ତ ନିର୍ବାଚନ ମଣ୍ଡଳୀରେ ପଡିବ । ଜଗତସିଂହପୁରରେ ତାଙ୍କର ଦବଦବା ରହିଛି । ପୁରୀରେ ଆଗକୁ ଥିବା ପ୍ରତିଷ୍ଠା ଉତ୍ସବକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ସେ ସବୁ କ୍ଷେତ୍ରରେ ବିଜେପିକୁ କାଉଂଟର କରୁଛନ୍ତି ବୋଲି ପଂଚାନନ କାନୁନଗୋ କହିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳୀୟ ସାଧାରଣ ସମ୍ପଦକ ପୃଥ୍ୱୀରାଜ ରହିଚନ୍ଦନ କହିଛନ୍ତି ଦାମ ବାବୁ ଯାହା ବି ବିବାଦୀୟ ମନ୍ତବ୍ୟ ଦିଅନ୍ତି ସେ ସବୁ ତୃତୀୟ ମହଲାରୁ ଆରମ୍ଭ ହୁଏ । ଦାମୋଦର ରାଉତ ଯେଉଁଠି, ଯାହା ବି କହୁଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ଅଙ୍ଗାଅଙ୍ଗି ଭାବେ ଜଡିତ । ଦାମଙ୍କ ମୁହଁରେ ସୁପ୍ରିମୋ ବିବାଦୀୟ କଥା କୁହାଉଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ । ଯେତେବେଳେ ସେ ସବୁ କଥା ଅଣାୟତ ହେଲା ତାଙ୍କୁ ଅପମାନିତ କରି ବହିଷ୍କାର କରାଯାଇଛି ।