କାଶ୍ମୀରର ବଡଗାଁଓରେ ଏନକାଉଂଟର ! ଜଣେ ଆତଙ୍କବାଦୀ ମୃତ, ଏବେ ବି ସୁରକ୍ଷାକର୍ମୀ-ଆତଙ୍କାବଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ

40

କନକ ବ୍ୟୁରୋ: ଆଜି ସକାଳୁ ଜମ୍ମୁ-କାଶ୍ମୀରର ବଡଗାମ ଅଂଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ସୁରକ୍ଷାବଳ ଗୁଳିମାଡରେ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ତେବେ ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଆହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ତାପରେ ଆତଙ୍କବାଦୀଙ୍କୁ ଘେରି ଯାଇଥିଲା ସେନା । ତେବେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ ।

ଉଲ୍ଲେଖ ଥାଉକି, ଗତକାଲି ଅନନ୍ତନାଗ ଅଂଚଳରେ ସୁରକ୍ଷା ବାହିନୀର ଏନକାଉଂଟରରେ ନିହତ ହୋଇଥିଲେ ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀ । ଏହା ସହିତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳାବାରୁଦ ଜବତ କରାଯାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଅନନ୍ତନାଗ ଡୋରୁ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ତାପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଘାଟିରେ ଇଂଟରନେଟ ସରବରାହକୁ ବନ୍ଦ ରଖାଯାଇଛି । ଗତ ମଙ୍ଗଳବାର ଦିନ ପୁଂଚ ଅଂଚଳରେ ୩ଜଣ ଆତଙ୍କବାଦୀଙ୍କୁ ଏନକାଉଂଟର କରିଥିଲା ସେନା ।