ଲାଲଗଡ଼ରେ ପୁଲିସର ପ୍ରଚଣ୍ଡ ପାହାର ! ଛତିଶଗଡ ବିଜାପୁର ଜଙ୍ଗଲରେ ବଡ଼ ଧରଣର ଏନକାଂଉଟର, ୬ ମହିଳା ମାଓବାଦୀଙ୍କ ସମେତ ଟଳିପଡିଲେ ୧୨ ମାଓବାଦୀ

96

କନକ ବ୍ୟୁରୋ : ଲାଲବାହିନିକୁ ଜବରଦସ୍ତ ଝଟକା । ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀଙ୍କୁ ଖୋଜି ମାରିଲା ପୁଲିସ୍ । ମାଲକାନଗିରି ସୀମାନ୍ତ ଛତିଶଗଡରେ ବଡ ଧରଣର ମାଓ ବିରୋଧୀ ଅପରେସନ । ତେଲେଙ୍ଗାନା ଓ ଛତିଶଗଡ ପୁଲିସର ମିଳିତ ଅଭିଯାନରେ ଟଳିପଡିଛନ୍ତି ୧୨ ମାଓବାଦୀ । ବସ୍ତରରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରିବା ପରେ ବିଜାପୁର ପୂଜାରୀ କାଙ୍କେର ଜଙ୍ଗଲରେ ଛପି ରହିଥିଲେ ମାଓବାଦୀ । ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋରରୁ ଆରମ୍ଭ ହୋଇଥିଲା ବିରାଟ ଅପରେସନ୍ । ଏଥିରେ ତେଲେଙ୍ଗାନା ମାଓ ମୁଖ୍ୟ ଜଗନକୁ ଏନକାଂଉଟର କରିଛି ସୁରକ୍ଷାବାହିନୀ । ସେପଟେ ଅପରେସନରେ ଜଣେ ଗ୍ରେହାଉଣ୍ଡ କନେଷ୍ଟବଳ ମଧ୍ୟ ସହୀଦ୍ ହୋଇଛନ୍ତି ।

ଓଡିଶାର ମାଲକାନଗିରି ସୀମାନ୍ତରୁ ପ୍ରାୟ ଶହେ କିଲୋମିଟର ଦୂର ଛତିଶଗଡର ପୂଜାରୀକାଙ୍କେର ଜଙ୍ଗଲରେ ବଡଧରଣର ମାଓ ବିରୋଧୀ ଅପରେସନ୍ । ମାଓବାଦୀମାନେ ଜଙ୍ଗଲରେ ଲୁଚି ରହିଥିବା ଗୁଇନ୍ଦା ସୂଚନାକୁ ଆଧାର କରି ଆରମ୍ଭ ହୋଇଥିଲା ଅପରେସନ୍ । ତିନିପଟୁ ଘେରିଯାଇଥିଲେ ସୁରକ୍ଷାକର୍ମୀ । ଅପରେସନରେ ସାମିଲ ହୋଇଥିଲେ ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ଗ୍ରେହାଉଣ୍ଡ ପୋଲିସ, ଏସଟିଏଫ ଓ ଡିଆରଜି ଫୋର୍ସ । ଶୁକ୍ରବାର ସକାଳୁ ଆରମ୍ଭ ହଇଥିବା ଏହି ଏନକାଉଂଟରରେ ଟଳି ପଡିଥିଲେ ୬ ମହିଳା କ୍ୟାଡର ମାଓବାଦୀଙ୍କ ସମେତ ୧୨ଜଣ । ଏମାନଙ୍କ ଭିତରେ ବି ଅଛି ମାଓ ନେତା ହରିଭୂଷଣ । ଆନ୍ଧ୍ରଠାରୁ ଅଲଗା ହୋଇ ତେଲେଙ୍ଗାନା ସ୍ୱତନ୍ତ୍ର ପ୍ରଦେଶ ହେବା ଦିନରୁ ଏଠାରେ ମାଓ ସଂଗଠନର ନେତୃତ୍ୱ ନେଉଥିଲା ହରିଭୂଷଣ ଓରଫ ଜଗନ୍ । ମିଳିତ ଅପରେସନରେ ଜଗନର ମୁଣ୍ଡ ଗଡିବା ପୋଲିସର ବଡ ସଫଳତା ବୋଲି କୁହାଯାଉଛି । ମାଓ କମାଣ୍ଡର ଲାଛନା ଓ ଛୁକା ରାଓର ମଧ୍ୟ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଆଉ କେତେକ ମାଓବାଦୀ ଖସିଯାଇଥିବା ଅନୁମାନ କରି ଦିନତମାମ କମ୍ବିଂ ଅପରେସନ କରିଛି ମିଳିତ ପୋଲିସ ବାହିନୀ ।

ଘଟଣାସ୍ଥଳରୁ ଏକେ-୪୭ ସହ ୫ଟି ବନ୍ଧୁକ, ଗୋଟିଏ ସ୍କାନର, ଗୋଟିଏ ଲାପଟପ, ବିସ୍ଫୋରକ, ମାଓ ସାମଗ୍ରୀ ଓ ୪୧ ହଜାର ଟଙ୍କା ଜବତ ହୋଇଛି । ମାଓ ବିରୋଧୀ ଅପରେସନରେ ଜଣେ ଗ୍ରେ ହାଉଣ୍ଡ କନେଷ୍ଟବଳ ସୁଶୀଲ କୁମାର ସହିଦ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କୁ ଏୟାରଲିଫ୍ଟ କରି ଭଦ୍ରାଚଳମରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।