ନରସିଂହପୁରରେ ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତା। ହାତୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। 

45

କନକ ବ୍ୟୁରୋ:  ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ ବୁଲୁଛି ହାତୀ । ଏଇ ଯେମିତି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତାହାତୀ । ନରସିଂହପୁର ଓ ସାତକୋଶିଆରୁ ପଶୁ ଡାକ୍ତର କରୁଛନ୍ତି ଚିକିତ୍ସା । ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଛି ୫ଟି ଗୁଳି । କିଛି ଦିନ ହେବ ଆହତ ଅବସ୍ଥାରେ ଇଆଡେ ସିଆଡେ ବୁଲିବା ପରେ ଏବେ ବନବିଭାଗ ଦନ୍ତାକୁ ଟ୍ରାକ କରି ଚିକିତ୍ସା ଆରମ୍ଭ କରିଛି । ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ପୁଣି ଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୪ଦିନ ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ଗତକାଲି ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା ।

କିଛି ଦିନ ପୂର୍ବରୁ ନରସିଂହପୁର ଜଙ୍ଗଲରେ ଅନ୍ୟ ଏକ ଦନ୍ତାହାତୀକୁ ମଧ୍ୟ ଗୁଳିବିଦ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଣୀ ଚିକିତ୍ସକଙ୍କ ଉଦ୍ୟମ ସତ୍ତେ୍ୱ ହାତୀ କିନ୍ତୁ ପ୍ରାଣ ହରାଇଥିଲା । ପରେ ବନବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଥିଲା । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୁଣି ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଥିଲା । ସମ୍ବଲପୁର ବନଖଣ୍ଡର ଧମା ରେଞ୍ଜର କୋଲଗାଁ ଓ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ହାତୀର ୬ରୁ ୭ ଖଣ୍ଡ ବଡ଼ ବଡ଼ ହାଡ଼ ଜବତ ହେବା ଘଟଣା ବନବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା ।