ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ମହାସଙ୍କଟ । ସଂଜୟ ରାଉତଙ୍କ ଚେତାବନୀ ପରେ ବୈଠକ ଡାକିିଲେ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ

229

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବୈଠକ ଡକାଇଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ଆଜି ମଧ୍ୟାନ ୧୨ଟାରେ ଗୌହ୍ୱାଟୀରେ ବିଦ୍ର୍ରୋହୀ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ । ସେପଟେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀମାନଙ୍କ ସହ କଥା ହେଉଛନ୍ତି ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମୀ ଠାକରେ । ଗତକାଲି ଶିବସେନା ସାଂସଦ ସଞ୍ଜୟ ରାଉତ ବାଲଠାକରେଙ୍କ ନାଁରେ ଭୋଟ ମାଗିପାରିବେନି ଚେତାବନୀ ଦେଇଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହା ଉପରେ ଆଜି ବୈଠକରେ ନିଷ୍ପତି ନିଅଯିବ ବୋଲି ସୂଚନା ମିଳିଛି ।
ଗତକାଲି ରାତିରେ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଗୁଜରାଟରେ ମଧ୍ୟରେ ସାକ୍ଷାତ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ଏକନାଥଙ୍କ ବୈଠକ ଡାକିବା ବିଜେପି ଏବଂ ବିଦ୍ରୋହୀ ବିଧାୟକ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଛି । ଏକନାଥ ସିନ୍ଦେ ଶିବ ସୈନିକଙ୍କ ଉଦେଶ୍ୟରେ ଟୁଇଟ କରି କହିଛନ୍ତି, ସେ ଏମଭିଏର କୁମ୍ଭୀର ମୁହଁରୁ ଶିବସେନାକୁ ଉଦ୍ଧାର ପାଇଁ ସେ ଯୁଦ୍ଧ କରୁଛନ୍ତି । ଏହି ଯୁଦ୍ଧ ଶିବ ସୈନିକମାନଙ୍କ ଭଲ ପାଇଁ ବୋଲି ସେ କହିଛନ୍ତି ।
ସେପଟେ ଶନିବାର ମୁମ୍ବାଇରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପ୍ରସ୍ତାବ ପାରିତ ହୋଇଯାଇଛି । ବିଦ୍ରୋହୀ ଟିମର ନେତା ଏକନାଥ ସିନ୍ଦେଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବାକୁ ନିଷ୍ପତି ନିଆଯାଇଛି । ଶିବସେନା ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଧିକାର ଉଦ୍ଧବ ଠାକରେଙ୍କ ଅଛି ବୋଲି କହିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ୍ । ଏଥିସହ ଅନ୍ୟ ରାଜନୈତିକ ଦଳ ଶିବସେନା କିମ୍ବା ବାଲଠାକରେଙ୍କ ନାଁକୁ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରସ୍ତାବ ପାରିତ ହୋଇଛି । ଏନେଇ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେବାକୁ ଦଳ ନିଷ୍ପତି ନେଇଛି ।