ବିଶ୍ୱବ୍ୟାପୀ ଲୁଣ ଖାଇବା କମ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଯାନ ଆରମ୍ଭ । ମାତ୍ରାଧିକ ଲୁଣ ଖାଇଲେ ବଢିବ ହୃଦଘାତ ଆଶଙ୍କା

154

କନକ ବ୍ୟୁରୋ : ଅଧିକ ଲୁଣ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ଆପଣ ଜାଣିଛନ୍ତି କି ଖାଦ୍ୟର ସ୍ୱାଦ ବଢାଉଥିବା ଲୁଣର ସଂପର୍କ ହୃତପିଣ୍ଡ ସହ ରହିଛି । ଲୁଣରେ ଥିବା ସୋଡିୟମର ଅଧିକ ମାତ୍ରାଧିକ ବ୍ୟବାହର ହୃଦଘାତ ଓ ହୃତପିଣ୍ଡ ସଂପର୍କିତ ରୋଗ ସହ ବହୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିପାରେ । ଏପରିକି ସୋଡିୟମର ଅଧିକ ସେବନ କରିବା ଅର୍ଥ ହେଉଛି ପ୍ରିମେଚ୍ୟୁର ଡେଥ ଓ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିବା । ଏଭଳି ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଘରେ ବ୍ୟବହାର ହେଉଥିବା ଲୁଣର ମାତ୍ରା ୩୦ ପ୍ରତିଶତ କମ କରିବା ପାଇଁ ବିଶ୍ୱବାସୀଙ୍କୁ ଡବ୍ଲୁଏଚଓ ଅପିଲ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ ଉଲ୍ଲେଖ କରିଛି, ସୋଡିୟମ ଶରୀର ପାଇଁ ଏକ ଅତି ଆବଶ୍ୟକ ପୋଷକ ତତ୍ୱ । ହେଲେ ଏହାର ମାତ୍ରାଧିକ ସେବନ ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇପାରେ । ଆମେ ଦୈନିକ ଯେତେ ଲୁଣ ଖାଇବା କଥା ତାର ଦୁଇ ଗୁଣ ଲୁଣ ଖାଉଛୁ । ଡବ୍ଲୁଏଚଓ ଅନୁସାରେ ଆମେଦୈନିକ ୧୦ ଦଶମିକ ୮ ଗ୍ରାମ ଲୁଣ ଖାଉଥିଲା ବେଳେ ପ୍ରତ୍ୟେକ ମଣିଷର ସ୍ୱାସ୍ଥ୍ୟ ପାଇଁ ମାତ୍ର ୫ ଗ୍ରାମ ଲୁଣ ଯଥେଷ୍ଟ । ହେଲେ ସ୍ୱାଦ ପାଇଁ ଲୁଣର ଅଧିକ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବିପଦର ବଡ କାରଣ ସାଜିପାରେ । ଲୁଣର ବ୍ୟବହାରକୁ ନିୟନ୍ତ୍ରିତ କଲେ ଆଗାମୀ ୭ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ସାରା ବିଶ୍ୱରେ ୭ ମିଲିୟନ ଲୋକଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଡବ୍ଲୁଏଚଓ କହିଛି । ବର୍ତମାନ ସୁଦ୍ଧା ବ୍ରାଜିଲ, ସାଉଦି ଆରବ, ମେକ୍ସିକୋ, ସ୍ପେନ, ଉରୁଗୁଏ, ଚିଲି ଭଳି ହାତ ଗଣତି କିଛି ରାଷ୍ଟ୍ର ଲୁଣର ଅଧିକ ବ୍ୟବହାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଏହି ଅଭିଯାନରେ ଭାରତ ବର୍ତମାନ ସୁଦ୍ଧା ସାମିଲ ହୋଇନାହିଁ ।

ଏବେ ଆସନ୍ତୁ ଲୁଣ କମାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆରମ୍ଭ କରିଥିବା ଅଭିଯାନ କରିଛି । ଏଥି ପାଇଁ କଣ ସବୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ ଆସନ୍ତୁ ଜାଣିବା ।

  • ଖାଦ୍ୟରେ ଲୁଣର ମାତ୍ରା କମ କରିବାକୁ ଚେଷ୍ଟା କରିବା ଉଚିତ
  • ଦିନକୁ ଜଣେ ବ୍ୟକ୍ତି ୫ ଗ୍ରାମ ଲୁଣ ବ୍ୟବହାର ପାଇଁ ପରାମର୍ଶ
  • ଆବଶ୍ୟକତା ଅନୁଯାୟୀ ଲୁଣ ବ୍ୟବହାର କରିବାକୁ ଉଦ୍ୟମ
  • ସାର୍ବଜନୀନ ସଂସ୍ଥାରେ ଖାଦ୍ୟ ନୀତିରେ ପରିବର୍ତନ ଆବଶ୍ୟକ
  • ସ୍କୁଲ, ହସ୍ପିଟାଲ, ନର୍ସିଂହୋମରେ କମ ଲୁଣ ଯୁକ୍ତ ଖାଦ୍ୟ ପାଇଁ ନୀତି ନିର୍ଦ୍ଧାରଣ
  • ପ୍ୟାକେଟ ଖାଦ୍ୟରେ ସୋଡିୟମର ମାତ୍ରା ଉଲ୍ଲେଖ ରଖିବା ଜରୁରୀ
  • ଯାହା ଗ୍ରାହକଙ୍କୁ ଖାଦ୍ୟ କିଣିବାରେ ସହାୟତା କରିବ
  • ସୋଡିୟମ ବ୍ୟବହାରକୁ ସୀମିତ କରିବା ପାଇଁ ପ୍ରଚାର ପ୍ରସାର ଆବଶ୍ୟକ