ଥଣ୍ଡାରେ କମ୍ପୁଛି ଦିଲ୍ଲୀ : ୪୫୦ ବିମାନ ଉଡ଼ାଣରେ ବିଳମ୍ବ, ୨୧ଟିର ଦିଗ ପରିବର୍ତ୍ତନ

104

କନକ ବ୍ୟୁରୋ : ଥରୁଛି ଭାରତ । ଜାଡରେ ହାଲ ବେହାଲ । ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତରଭାରତରେ ପ୍ରବଳ ଶୀତ ଲହରି । ଗତ କିଛି ଦିନ ହେବ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଖରାପ ପାଗ ପାଇଁ ଉତ୍ତର ଭାରତରେ ପ୍ରାୟ ଦୁଇ ସପ୍ତାହ ହେବ ଭୀଷଣ ଶୀତ ଅନୁଭୂତ ହୋଇଛି । ଲଦାଖରୁ ପାଟଣା ଯାଏଁ ଥଣ୍ଡା ଲୋକଙ୍କୁ କଲବଲ କରୁଛି । ଲଦାଖ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ, ହରିୟାଣା ଓ ପଞ୍ଜାବ ସମେତ ଦେଶର ଅନ୍ୟଭାଗରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି ।

ଖରାପ ପାଗ ଯୋଗୁଁ ରାଜଧାନୀ ଦିଲ୍ଲୀରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦରରୁ ୪୫୦ ବିମାନ ଉଡ଼ାଣ ରେ ବିଳମ୍ବ ହୋଇଥିବା ବେଳେ ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ସେହଭଳି ୪୦ଟି ବିମାନର ଉଡାଣକୁ ବାତିଲ କରି ଦିଆଯାଇଛି । ବିମାନ ବ୍ୟତୀତ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି । ପାଖାପାଖି ୩୪ଟି ଟ୍ରେନ ବିଳମ୍ବରେ ଚାଲୁଛି । କିଛି ଟ୍ରେନ ପ୍ରାୟ ୧୦ ଘଣ୍ଟା ଯାଏଁ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି ।

ଭାରତୀୟ ପାଣିପାଗ ବିଭାଗ ହରିୟାଣାର ୧୬ ଜିଲ୍ଲା ପାଇଁ ଥଣ୍ଡା ଓ ବର୍ଷା ଆଲର୍ଟ କରିଛି । ପଞ୍ଜାବରେ ଶୀତ ପ୍ରବଳ ଅନୁଭୂତ ହୋଇଥିବା ବେଳେ ଜାନୁଆରୀ ୨-୩ରେ ବର୍ଷ ସହିତ ତୁଷାରପାତ ହେବାର ସମ୍ଭାବନା ରହିଛି । ପ୍ରବଳ କୁହୁଡି ଯୋଗୁଁ ଯାତାୟାତରେ ବଡ ସମସ୍ୟା ସୃଷ୍ଟି ହୋଇଛି । ସକାଳୁ ପ୍ରବଳ କୁହୁଡି ପଡୁଥିବାରୁ ପାଗ ଧୂଆଁଳିଆ ରହୁଛି । ଫଳରେ ଦୂରଦୂରକୁ ରାସ୍ତାଘାଟ ଦେଖାଯାଉନାହିଁ ।