କଂଗ୍ରେସ ଭବନରେ ଦାମଙ୍କ ଏଣ୍ଟ୍ରି ! ୨୦୧୯ ପୂର୍ବରୁ ହେବ କି ନୂଆ ସମୀକରଣ?

56

କନକ ବ୍ୟୁରୋ : କଂଗ୍ରେସ ଭବନରେ ଦାମଙ୍କ ଏଣ୍ଟ୍ରି । ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମ ରାଉତଙ୍କୁ ଆଜି କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ଭବନରେ ପହଞ୍ଚିଥିଲେ ଦାମ ରାଉତ । ଏପରିକି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପାଖରେ ବସି ବେଶ କିଛି ସମୟ କଥା ହୋଇଥିଲେ ଦାମ । ତେବେ ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତଙ୍କ କଂଗ୍ରେସ ଭବନ ଗସ୍ତକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

DAMAସର୍ବଦଳୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କଂଗ୍ରେସ ଭବନକୁ ଦାମଙ୍କ ଗସ୍ତକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜନୈତିକ ସମୀକ୍ଷକ । ଦାମଙ୍କ ଏହି ଗସ୍ତକୁ ନେଇ ନୂଆ ନୂଆ ସମୀକରଣ ମଧ୍ୟ ସାମ୍ନାକୁ ଆସୁଛି । କାରଣ ଅଣକଂଗ୍ରେସ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଦାମ ବିଜେଡିରୁ ବହିଷ୍କାର ହେବା ପରେ ନିଜର ପରବର୍ତ୍ତି ରାଜନୈତିକ ଭବିଷ୍ୟତ ପାଇଁ ଏକ ପ୍ରଭାବୀ କ୍ୟାମ୍ପର ଆବଶ୍ୟକ ମଧ୍ୟ କରୁଛନ୍ତି । ଯାହା ସହାୟତାରେ ବିଜେଡି ବିରୋଧରେ ଲଢିବା ହୁଏତ ତାଙ୍କୁ ସହଜ ହୋଇପାରେ ।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତ କୌଣସି ଦଳରେ ଯୋଗ ମଧ୍ୟ ଦେଇନାହାନ୍ତି । ତେଣୁ ଦାମଙ୍କ ଏହି କଂଗ୍ରେସ ଭବନ ଗସ୍ତ ପରେ ରାଜ୍ୟ ରାଜନୀତିର ପାରା ମଧ୍ୟ ବଢିଯାଇଛି । ଏପରିକି ଦାମଙ୍କ ଏହି ଗସ୍ତ ପରେ ପ୍ରଶ୍ନ ଉଠୁଛି, ୨୦୧୯ ନିର୍ବାଚନ ପୂର୍ବରୁ ହେବ କି ନୂଆ ସମୀକରଣ ।ଆଉ ଏସବୁ ଭିତରେ ଦାମଙ୍କ ପରବର୍ତ୍ତି ପଦକ୍ଷେପ କଣ ହେବ ତାହା ଉପରେ ଏବେ ପୂରା ରାଜ୍ୟବାସୀଙ୍କ ନଜର ।