ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଳମ୍ବ କରିବା ନେଇ ଯୁବ ଦଇତାପତିଙ୍କ ଚେତାବନୀ

42

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଦିନକ ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଥିବା ବେଳେ ଆଜି ଜଗନ୍ନାଥଙ୍କ ପହଣ୍ଡି ବିଳମ୍ବ କରିବା ନେଇ ଚେତାବନୀ ଦେଇଛନ୍ତି ଯୁବ ଦଇତାପତି । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଦୁଇ ପୁଅ ରାଜୀବ ସ୍ୱାଇଁ ମହାପାତ୍ର ଓ ସଂଜୀବ ସ୍ୱାଇଁ ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅନ୍ୟ ଦଇତାପତି । ସପ୍ତାହେ ପୂର୍ବରୁ ଠାକୁରଙ୍କ ଶ୍ରୀଅଙ୍ଗ ଫିଟା ନୀତି ବେଳେ ଜଗୁନିଙ୍କ ଦୁଇ ପୁଅଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । କରାଳ ଚନ୍ଦନ ବଂଟନକୁ ନେଇ ବିବାଦ ବଢିବା ପରେ  ସେମାନଙ୍କ ନିଳମ୍ବନ ଦାବି କରିଛନ୍ତି ଏହି ଯୁବ ଦଇତାପତିମାନେ । ନଚେତ୍ ପହଣ୍ଡିକୁ ବିଳମ୍ବ କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି ।

ସେମାନଙ୍କ ଦାବି ନେଇ ଯୁବ ଦାଇତାପତିମାନେ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି । ନିଜର ଦାବି ନେଇ ଆଜି ଏମାନେ ଏକ ସାମ୍ବାଦିକ ସମ୍ବିଳନୀ କରି ଚେତାବନୀ ଦେଇଛନ୍ତି । ରଥଯାତ୍ରାରେ ଠାକୁରଙ୍କ ପହଣ୍ଡି ସାଧାରଣତଃ ପ୍ରଥମ ବେଳାରେ ହୋଇଥାଏ । କିନ୍ତୁ ଏହି ଦଇତାପତିମାନେ ଧମକ ଦେଇଚନ୍ତି ଯଦି ତାଙ୍କର ଦାବି ବିଚାର କରାନଯାଏ, ତେବେ ସେମାନେ ପହଣ୍ଡିକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଳମ୍ବ କରିବେ । ପ୍ରଶ୍ନ ଉଠୁଛି, ନିଜ ଭିତରେ ବିବାଦ ପାଇଁ ଠାକୁରଙ୍କୁ ବନ୍ଧା ପକାଇବା କେତେଦୂର ଠିକ୍?