ଏହି ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ କୋହଲି ! କାନ୍ଦି କାନ୍ଦି ଖେଳିଥିଲେ ମ୍ୟାଚ୍, ବିପକ୍ଷୀ ଦଳକୁ ଦେଇଥିଲେ ମାତ୍

2,540

ବିରାଟ କୋହଲି । ଭାରତୀୟ କ୍ରିକେଟ ଦଳର ଆନ୍, ବାନ୍ ଆଉ ଶାନ୍ ଭାବେ ପରିଚିତ । ତାଙ୍କ ନାଁରେ ଯେଭଳି ଚମକ ରହିଛି ସେମିତି ତାଙ୍କ କାମରେ ବି ରହିଛି ଚମକ । ନିଜର ଦମଦାର ତଥା ଚମତ୍କାର ପ୍ରଦର୍ଶନ ଯୋଗୁଁ ଆଜି ସେ ଭାରତୀୟ କ୍ରିକେଟ୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହିକ୍ରମରେ ଆଜି ସେ ଜଣେ ଅଧିନାୟକ ଭାବେ ତୃତୀୟ ଥର ପାଇଁ ଖେଳିବାକୁ ଯାଉଛନ୍ତି ବିଶ୍ୱକପ ମ୍ୟାଚ । ତେବେ ଅନ୍ୟ ଖେଳାଳୀମାନଙ୍କ ଭଳି ବିରାଟଙ୍କ ଜୀବନ ମଧ୍ୟ ଥିଲା ବେଶ୍ ସଘଂର୍ଷମୟ । ଯାହାକି ତାଙ୍କ ପାଇଁ କଷ୍ଟଦାୟକ ଥିଲେ ବି ତାଙ୍କୁ ଆଗକୁ ବଢିବାକୁ ଯୋଗାଇଥିଲା ଖୋରାକ୍ ।

ଏହି ଘଟଣା ଘଟିଥିଲା ଯେବେ ବିରାଟ ନୂଆ କରି ନିଜ କ୍ୟାରିୟର ଆରମ୍ଭ କରୁଥିଲେ । ଠିକ୍ ଏହି ସମୟରେ ହିଁ ବିରାଟଙ୍କ ବାପାଙ୍କର ନିଧନ ହୋଇଯାଇଥିଲା । ସେତେବେଳେ ବିରାଟ ଦିଲ୍ଲୀର ରଣଜୀ ଟିମର ଜଣେ ଖେଳାଳୀ ଥିଲେ । ଆଉ ଏହି ସମୟ ବିରାଟଙ୍କ ଜୀବନର ସବୁଠୁ କଠିନ ସମୟ ରହିଥିଲା । ତେବେ ବିରାଟ ନିଜ କୋଚ ରାଜକୁମାର ଶର୍ମାଙ୍କୁ ବାପାଙ୍କ ନିଧନ ହେବା ଖବର ଜଣାଇଥିଲେ ମାତ୍ର ମ୍ୟାଚ ଜାରି ରଖିବା ନେଇ ସେ ଦ୍ୱନ୍ଦ୍ୱରେ ଥିଲେ । ତେବେ ରାଜକୁମାର ଶର୍ମା ବିରାଟଙ୍କ ଉପରେ ପୂରା ନିଷ୍ପତି ଛାଡି ଦେଇଥିଲେ ।

ଗୋଟିଏ ଘଟଣା…ଯାହା ବଦଳାଇ ଦେଇଥିଲା ବିରାଟଙ୍କ ଜୀବନ

୨୦୦୬ ଡିସମ୍ବେର ମାସର ସେହି କଳା ଦିନ, ଯାହାକୁ କେବେ ମନରୁ ଲିଭାଇଦେବେନି ବିରାଟ କୋହଲି । ୧୮ ବର୍ଷର ବିରାଟ କୋହଲି ସେତେବେଳେ କର୍ଣ୍ଣାଟକ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ ଖେଳୁଥିଲେ । କର୍ଣ୍ଣାଟକ ପ୍ରଥମ ବ୍ୟାଟିଂ କରି ୪୪୬ ରନ ଅକ୍ତିଆର କରିଥିବା ବେଳେ ଦିଲ୍ଲୀ ଦଳ ମାତ୍ର ୧୪ ରନରେ ୪ଟି ୱିକେଟ ହରାଇ ସଂକଟକୁ ଚାଲିଆସିଥିଲା । ଆଉ ଏହି ସମୟରେ ଦିଲ୍ଲୀର ମୋର୍ଚ୍ଚା ସମ୍ଭାଳିଥିଲେ କୋହଲି ଏବଂ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବିରାଟ କୋହଲୀ ୪୦ ରନ କରି ବିନା ଆଉଟ ହୋଇ ଫେରିଥିଲେ । ଆଉ ସେହି ଦିନ ରାତିରେ ହିଁ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା ।

୯୦ ରନ କରି ଦଳକୁ ସଂକଟରୁ ବାହାର କରିଥିଲେ ବିରାଟ

ବାପାଙ୍କ ନିଧନ ପରେ ଏହି ପରାକ୍ରମୀ ଖେଳାଳି ନିଜ ଜୀବନର ସବୁଠାରୁ କଠିନ ନିଷ୍ପତି ନେଇ ମୈଦାନକୁ ଓହ୍ଲାଇଥିଲେ । ଅମ୍ପାୟର, ଖେଳାଳି, ମ୍ୟାଚ ରେଫରି ପର୍ଯ୍ୟନ୍ତ ସମସ୍ତେ ବିରାଟଙ୍କ ଏଭଳି ନିଷ୍ପତିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ବିରାଟ କୋହଲିଙ୍କ ଆତ୍ମବିଶ୍ୱାସ ତଥା ଲକ୍ଷ୍ୟ ଚଟାଣ ଭଳି ମଜଭୁତ ରହିଥିଲା । ବିରାଟ ନା କେବଳ କ୍ରିଜକୁ ଓହ୍ଲାଇଥିଲେ ବରଂ ପଡିଆରେ ଶାନଦାର ପ୍ରଦର୍ଶନ କରି ଦଳ ପାଇଁ ୯୦ ରନ ହାସଲ କରିବାରେ ସଫଳ ମଧ୍ୟ ହୋଇଥିଲେ । ତେବେ ଖେଳିବା ସମୟରେ ନିଜ ଭାବନାକୁ କଂଟ୍ରୋଲ କରିବା ଏତେ ସହଜ କଥା ନଥିଲା ବିରାଟଙ୍କ ପାଇଁ । ଲୁହରେ ଆଖି ଭିଜି ଯାଉଥାଏ କିନ୍ତୁ ନିଜକୁ ବିପକ୍ଷ ଦଳ ସାମ୍ନାରେ ଝୁକିବାକୁ ଦେଇନଥିଲେ । ପାରିବା ପର୍ଯ୍ୟନ୍ତ ସେ ପଡିଆରେ ବିପକ୍ଷ ଦଳକୁ ମାତ୍ ଦେବା ପାଇଁ ପୂରା ଜୀ-ଜାନ୍ ଲଗାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅମ୍ପାୟର ତାଙ୍କୁ ଭୁଲ ଆଉଟ ଘୋଷଣା କରିଦେଇଥିଲେ ।

ଏହାପରେ ବିରାଟ କାହାକୁ କିଛି ନକହି ଚୁପଚାପ ଡ୍ରେସିଂ ରୁମକୁ ଫେରିଆସିଥିଲେ ଆଉ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଘର ଅଭିମୁଖେ ବାହାରି ପଡିଥିଲେ । ଏପଟେ କିନ୍ତୁ ସେ ୨୮୧ ମିନିଟ କାଳ କ୍ରିଜରେ ରହି ୨୩୮ଟି ବଲକୁ ସାମ୍ନା କରି ନିଜ ଦଳକୁ ପରାଜୟରୁ ବଂଚାଇଦେଇଥିଲେ । ତେବେ ଦିଲ୍ଲୀର ଫିରୋଜଶାହ କୋଟଲା ମୈଦାନରେ ସେହି ଦିନ ଲେଖାଯାଇଥିଲା ଇତିହାସ । ଆଉ ସେହିଠାରୁ ହିଁ ଆରମ୍ଭ ହୋଇଥିଲା ୧୮ ବର୍ଷୀୟ ଜଣେ ଆତ୍ମବିଶ୍ୱାସୀ ତଥା ପରାକ୍ରମି ଯୁବକଙ୍କର ବିଶ୍ୱ କ୍ରିକେଟର ସୁପରଷ୍ଟାର ବନିବାର ଯାତ୍ରା ।