ପସନ୍ଦ ହେଉନି ଇଜିପ୍ଟ ପିଆଜ । ଓଜନ ଅଧିକ, ସ୍ୱାଦ ପାଣିଚିଆ । ଲୋକେ କିଣିବା ଅପେକ୍ଷା ଫଟୋ ଉଠାଉଛନ୍ତି ଅଧିକ ।

523

କନକ ବ୍ୟୁରୋ : ଆଶା କରାଯାଉଥିଲା ବଜାରକୁ ଇଜିପ୍ଟ ପିଆଜ ଆସିଗଲେ ନିୟନ୍ତ୍ରଣ ଭିତରକୁ ଆସିଯିବ ପିଆଜ ଦର । କିନ୍ତୁ ପରିସ୍ଥିତିରେ କିଛି ବି ସୁଧାର ଆସିନି । ଏବେ ବି କେଜି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଲୋକେ ଇଜିପ୍ଟ ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି । ଇଜିପ୍ଟ ପିଆଜର ପାଣିଚିଆ ସ୍ୱାଦ ଓ ଅଧିକ ଓଜନ ଯୋଗୁଁ ଲୋକେ ଏହାକୁ କିଣୁନାହାନ୍ତି ।

ଇଜିପ୍ଟ ପିଆଜ ସହ ସେଲଫି ନେଇ ହେଉଛି କିନ୍ତୁ କିଣି ହେଉ ନାହିଁ ।   ଯେତେବେଳେ ଓଡିଶା ବଜାରରେ ଇଜିପ୍ଟ ଓ ତୁର୍କିରୁ ଆସି ପିଆଜ ପହଂଚିଲା, ଅନୁମାନ କରାଯାଉଥିଲା ପିଆଜ ଦର କମିବ ଏବଂ ଉପଭୋକ୍ତାଙ୍କୁ ଚାହିଦା ମୁତାବକ ପିଆଜ ମିଳିଯିବ । କିନ୍ତୁ ଇଜିପ୍ଟ ପିଆଜ କିଣିବାକୁ ଲୋକେ ଚାହୁଁନାହାନ୍ତି । କାରଣ ଏହି ପିଆଜ ଦେଖିବାକୁ ଚକଚକ ସିନା କିନ୍ତୁ ସ୍ୱାଦ ପାଣିଚିଆ । ଗୋଟିଏ ଗୋଟିଏ ପିଆଜର ଓଜନ ୫୦୦ଗ୍ରାମରୁ ଅଧିକ ରହୁଛି । ତେଣୁ ଲୋକେ ଏହି ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଆଜ କିଲୋ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିସେମ୍ବର ଶେଷ ସପ୍ତାହରେ ପହଞ୍ଚିଥିଲା ଇଜିପ୍ଟ ପିଆଜ । ଆଶା କରାଯାଉଥିଲା, ପିଆଜ ଦର କମିଯିବ । କିନ୍ତୁ ସେମିତି କିଛି ପରିବର୍ତନ ଆସିଲାନି । ଏବେ କେଜି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି । ଆଉ ଦର ଏବଂ ଓଜନ ଅଧିକ ଯୋଗୁଁ ୨୦୦ରୁ ୨୫୦  ଗ୍ରାମ ପିଆଜ କିଣିବାକୁ ଚାହୁଁଥିବା ଗ୍ରାହକ ଇଜିପ୍ଟ ପିଆଜ କିଣୁନାହାନ୍ତି ।

ଓଡିଶାକୁ ୧୨ ହଜାର କ୍ୱିଣ୍ଟାଲ ଇଜିପ୍ଟ ପିଆଜ ମଗାଯାଇଥିଲା । ତେବେ ଉପଭୋକ୍ତା ଏହି ପିଆଜକୁ ଗ୍ରହଣ କରୁନଥିବାରୁ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି । ଆଶା କରାଯାଉଛି ଆଉ ୨ ସପ୍ତାହ ଭିତରେ ପିଆଜ ଦର ଖସିବ ।