ଦିଲ୍ଲୀ : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଫଟୋ ସେୟାର କରିବା ନେଇ ରାହୁଲ ଗାନ୍ଧୀଙ୍କ ନାମରେ ମାମଲା

160

କନକ ବ୍ୟୁରୋ : ଦିଲ୍ଲୀରେ ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ତାଙ୍କ ନାମରେ ମାମଲା ଦାଖଲ ହୋଇଛି । ଏହି ଅଭିଯୋଗ ବିଜେପି ପ୍ରବକ୍ତା ନବୀନ କୁମାରଙ୍କ ତରଫରୁ ଦିଲ୍ଲୀର ବାରାଖମ୍ବା ପୋଲିସ ଷ୍ଟେସନରେ କରାଯାଇଛି । ନବୀନ କୁମାର କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ବିରୋଧରେ ପକସୋ ଆଇନର ଧାରା ମୁତାବକ ମାମଲା ରୁଜୁ ହେବା ଆବଶ୍ୟକ ।

ରାହୁଲ ଗାନ୍ଧୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାର ପରିବାରକୁ ଭେଟିଥିଲେ । ଏହାପରେ ସେମାନଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାକୁ ନେଇ ବିରୋଧୀମାନେ ହୋ ହାଲ୍ଲା କରିଥିଲେ । ଏହାପରେ ଏହା ସୋସିଆଲ ମିଡିଆ ଆଇନର ଉଲଙ୍ଘନ ଦର୍ଶାଇ ଟ୍ୱିଟର ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଲକ୍ କରିଦେଇଥିଲା । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ଏହି ମାମଲାରେ ବି ଅନ୍ୟ କିଛି କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକ କରିଥିଲା ଟ୍ୱିଟର ଇଣ୍ଡିଆ । ହେଲେ ଆଜି (ଶନିବାର) ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କର ଟ୍ୱିଟର ଆକାଉଣ୍ଟ ଅନଲକ ହୋଇଛି ।

ଆକାଉଣ୍ଟ ଅନଲକ କରିବା ପରେ ଟ୍ୱିଟର ପକ୍ଷରୁ କୁହାଯାଇଛି କି ଭାରତୀୟ ଆଇନ ମୁତାବକ ପିଡୀତାଙ୍କ ପରିବାରର ସୁରକ୍ଷା ଓ ବ୍ୟକ୍ତିଗତ ସମ୍ମାନ କାରଣରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଏହାକୁ ନେଇ କଂଗ୍ରେସ ଅଭିଯୋଗ କରିଛି କି କେନ୍ଦ୍ର ସରକାରଙ୍କ ଚାପରେ ଟ୍ୱିଟର କାମ କରୁଛି । ରାହୁଲ ଗାନ୍ଧୀ ଏକ ଭିଡିଓ ଜାରି କରି ଟ୍ୱିଟରକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି କି ଭାରତରେ ଟ୍ୱିଟର ସୋସିଆଲ ମିଡିଆ ସେବା ଯୋଗାଇବା ପରିବେର୍ତ୍ତ ରାଜନୀତିରେ ଅଧିକ ଧ୍ୟାନ ଦେଉଛି ।

ଏହି ଫଟୋ ସେୟାର କରିବା ପରେ ମୃତ ନାବାଳିକାର ମା’ କହିଥିଲେ କି ରାହୁଲ ଗାନ୍ଧୀ ଫଟୋ ସେୟାର କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ଏବେ ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇ ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ଦାୟର କରିବାକୁ ଦାବି କରାଯାଇଛି ।