ପୂଜାରେ ଅପରାଧୀଙ୍କୁ ସାବାଡ କରିବ କମିଶନରେଟ ପୋଲିସ ! ୱାରେଣ୍ଟୀଙ୍କୁ ଗିରଫ ପାଇଁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ

52

କନକ ବ୍ୟୁରୋ : ପାଖେଇ ଆସିଲାଣି ପାର୍ବଣ ଋତୁ । ଖାସକରି ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ସହର ସାରା ଚାଲିଛି ପ୍ରସ୍ତୁତି । କିନ୍ତୁ ଦୁର୍ଗାପୂଜା ଯେତିକି ପାଖେଇ ଆସୁଛି ସହରରେ ଅପରାଧ ବଢି ବଢି ଚାଲିଛି । ତେଣୁ ଦୁର୍ଗାପୂଜାରେ ଅପରାଧ ନିୟନ୍ତ୍ରଣ ପାଇଁ ସଜାଗ ହୋଇଉଠିଛି ପୋଲିସ । ଦୁର୍ଗାପୂଜାକୁ ଆଖି ଆଗରେ ରଖି ଅପରାଧୀଙ୍କ ଉପରେ ଲଗାମ ଲଗାଯିବ ବୋଲି କହିଛନ୍ତି ନବ ନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଏଥିସହ ସେ କହିଛନ୍ତି, ୱାରେଂଟୀଙ୍କୁ ଗିରଫ କରିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡଧାରୀ ଅପରାଧୀଙ୍କୁ ଏନଏସଏରେ ବୁକ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ମିଳିଛି । ଡିଜିପିଙ୍କ ନିର୍ଦ୍ଦେଶ ପରେ ୱାରେଂଟୀ ଓ ୱାନଟେନ ଅଭିଯୁକ୍ତଙ୍କୁ ଧରିବା ପାଇଁ ସାରା ରାଜ୍ୟରେ ଧରପଗଡ ଆରମ୍ଭ ହୋଇଛି ।

ସେହିପରି ଛାତ୍ର ସଂସଦ ନିର୍ବାଚନକୁ ଡିଜି ଆରପି ଶର୍ମା ସୂଚନା ଦେଇ କହିଛନ୍ତି, କଲେଜ ଇଲେକ୍ସନ ପାଇଁ ସାରା ରାଜ୍ୟର ପୋଲିସକୁ ହାଇ ଅଲର୍ଟ କରାଯାଇଛି । କାରଣ ନିବାର୍ଚନ ବିଗୁଲ ବାଜିବା ମାତ୍ରେ କ୍ୟାମ୍ପସରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ଭୁବନେଶ୍ୱରର ବିଭିନ୍ନ କଲେଜ କ୍ୟାମ୍ପସ ଏବେ ଅଶାନ୍ତ ହୋଇପଡିଛି । କେଉଁଠି ବୋମା ପଡୁଛି ତ କେଉଁଠି ଖଣ୍ଡା ବୁଲୁଛି ।କ୍ୟାମ୍ପସରେ ଆତଙ୍କ ଖେଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।