କନକ ବ୍ୟୁରୋ : କୁହୁଡି ସାଙ୍ଗକୁ ଶୀତରେ ଥରୁଛନ୍ତି ଓଡିଶାବାସୀ । ଗତ ଦୁଇ ଦିନ ହେଲେ ଓଡିଶାରେ ପ୍ରାୟ ସବୁ ଅଂଚଳରେ ଥଂଡା ବଢିଛି । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ହାଡଭଂଗା ଥଣ୍ଡା ଅନୁଭୂତ ହେବ ବୋଲି କହିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪ଡିଗ୍ରୀ ଯାଏ ଖସିଛି। ଫୁଲବାଣୀ ରାଜ୍ୟର ଶୀତଳତମ ସ୍ଥାନ, ପାରଦ ୪.୫ ଡିଗ୍ରୀ ସେଲସିୟସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ସେଠାରେ ସର୍ବନିମ୍ନ ତାପମାତ୍ରା ଥିଲା ୯.୫ଡିଗ୍ରୀ । ଫୁଲବାଣୀ ସମେତ ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସିଛି। ରାଜଧାନୀ ଭୁବନେଶ୍ୱରରେ ଗତକାଲି ତାପମାତ୍ରା ଥିଲା ୧୫.୩ ଡିଗ୍ରୀ । ଏଠାରେ ୧୧.୯ ଡିଗ୍ରୀ ରେକର୍ଡ ହୋଇଛି। ଦିନକ ଭିତରେ ପାରଦ ତୀବ୍ର ଗତିରେ ତଳକୁ ଖସିଥିବାରୁ ଲୋକଙ୍କ ପାଇଁ ଏହା ଅସହ୍ୟ ହୋଇଛି। ବିଶେଷ କରି ବୁଢ଼ାବୁଢ଼ୀଙ୍କ ପାଇଁ ଏଭଳି ଥଣ୍ଡା ସହିବାର ସୀମା ଟପିଯାଇଛି।
ସୂଚନାନୁସାରେ ଗତକାଲି ଭଳି ଆଜି ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ କାଲୁଆ ପବନ ବହୁଛି। ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୨୦ କି.ମି. ରହିଛି। କେବଳ ରାତି ନୁହେଁ, ଦିନରେ ବି ଥଣ୍ଡା ଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହାର ପ୍ରଭାବରେ ଗତକାଲି ତୁଳନାରେ ଅନେକ ସ୍ଥାନରେ ୪.୫ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି ପାରଦ। ଗତକାଲି ସୋନପୁରରେ ୧୩.୨ଡିଗ୍ରୀ ଥିବା ବେଳେ ଆଜି ସେଠାରେ ୯.୬ଡିଗ୍ରୀ , ୪.୮ଡିଗ୍ରୀ ଖସିଛି ପାରଦ। ସେହିପରି ଅନୁଗୁଳରେ ୨.୬ଡିଗ୍ରୀ , କଟକରେ ୨.୫ଡିଗ୍ରୀ , ବଲାଙ୍ଗୀରରେ ୩.୭ଡିଗ୍ରୀ , ଭବାନୀପାଟଣାରେ ୩.୫ଡିଗ୍ରୀ , ଭୁବନେଶ୍ୱରରେ ୪ଡିଗ୍ରୀ ପାରଦ ତଳକୁ ଖସିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଗତକାଲିଠାରୁ ରାଜ୍ୟରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହୋଇଛି।
ତେବେ ଏହା ଶୀତ ଲହରୀ ନୁହେଁ। ରାଜ୍ୟରେ ଶୀତ ଲହରୀ ପ୍ରବାହିତ ନେଇ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିବା ନିମନ୍ତେ ୪/୫ଟି ସ୍ଥାନର ବର୍ତମାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୪.୬ଡିଗ୍ରୀ କମ୍ ରହିବା କଥା। ଆଜି କେବଳ ଅନୁଗୁଳରେ ସେଭଳି ପରିସ୍ଥିତି ରହିଥିବା କହିଛନ୍ତି ଡ. ସାହୁ।
ତେବେ ଏଭଳି ଥଣ୍ଡା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୩/୨୪ ବେଳକୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହିଲେ, ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନକୁ କେତେକାଂଶରେ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ , ହୀରାକୁଦରେ ୮.୧ଡିଗ୍ରୀ , କେନ୍ଦୁଝରରେ ୮.୪ଡିଗ୍ରୀ , ଭବାନୀପାଟଣାରେ ୯ଡିଗ୍ରୀ , କୋରାପୁଟରେ ୯.୫ଡିଗ୍ରୀ , ଅନୁଗୁଳ, ସୋନପୁରରେ ୯.୬ଡିଗ୍ରୀ , ସମ୍ବଲପୁରରେ ୯.୭ଡିଗ୍ରୀ , ଝାରସୁଗୁଡ଼ାରେ ୯.୮ଡିଗ୍ରୀ , ସୁନ୍ଦରଗଡ଼ରେ ୧୦ଡିଗ୍ରୀ , ବଲାଙ୍ଗୀରରେ ୧୦.୫ଡିଗ୍ରୀ , ଟିଟିଲାଗଡ଼, କଟକରେ ୧୧.୫ଡିଗ୍ରୀ , ବାଲେଶ୍ୱର, ବାରିପଦାରେ ୧୧.୬ଡିଗ୍ରୀ , ଭୁବନେଶ୍ୱରରେ ୧୧.୯ଡିଗ୍ରୀ ରେକର୍ଡ ହୋଇଛି। ସୋନପୁରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀ ତଳେ ରହିଛି।