ଆରମ୍ଭ ହେଲା ‘ଜଳବାୟୁ ପରିବର୍ତ୍ତନ କର୍ମଶାଳା’ : ସାମ୍ବାଦିକଙ୍କୁ ତାଲିମ ଦେଉଛନ୍ତି ବିଶେଷଜ୍ଞ

92

କନକ ବ୍ୟୁରୋ :ଓଡ଼ିଶା ମଧ୍ୟ ବହୁ ଭାବରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହେଉଥିବା ବେଳେ ବନାଗ୍ନି, ବନ୍ୟା ଓ ବାତ୍ୟା ଆଦି ପାଣିପାଗଜନିତ ସମସ୍ୟା ଗତ କିଛି ଦଶନ୍ଧି ଧରି ଏବେ ଖବରକାଗଜର ମୁଖ୍ୟ ଶିରୋନାମା ପାଲଟିଛି । ଏଣୁ ସମାଜରେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଦିଗରେ ସାମ୍ବାଦିକମାନଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଯାହା ଫଳରେ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିଗତସ୍ତରରେ ଲୋକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସଙ୍କୁଚିତ କରିବା ଦିଗରେ ନିରନ୍ତର କାମ କରିପାରିବେ ବୋଲି କହିଛନ୍ତି ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ ହାଇଦ୍ରାବାଦ୍‌ର ପବ୍ଲିକ୍‌ ଆଫେୟାର୍ସ ଅଫିସର୍‌ ଡାଭିଡ୍‌ ମୋୟର୍‌ ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଖବର ପ୍ରସାରଣ ଦିଗରେ ଅଧିକ ସ୍ପଷ୍ଟତା, ଗଭୀରତା ତଥା ତଥ୍ୟଭିତ୍ତିକ ସହାୟତା ଯୋଗାଇବା ତଥା ଅଭିଜ୍ଞମାନଙ୍କୁ ସାମ୍ବାଦିକମାନଙ୍କ ସହ ଯୋଡ଼ିବା ପାଇଁ ଆଞ୍ଚଳିକ ସାମ୍ବାଦିକମାନଙ୍କୁ ନେଇ ଏକ କର୍ମଶାଳା  ଉଦ୍‌ଘାଟିତ ହୋଇଯାଇଛି । ‘ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ ହାଇଦ୍ରାବାଦ୍‌’ ପକ୍ଷରୁ ‘ଭିଉଜ୍‌ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଉଦ୍‌ଘାଟନ କରି ଶ୍ରୀ ମୋୟର୍‌ ଆହୁରି କହିଛନ୍ତି, ଆଞ୍ଚଳିକ ସାମ୍ବାଦିକମାନଙ୍କୁ ବିଶ୍ଳେଷଣାତ୍ମକ ତଥା ଗବେଷଣାତ୍ମକ ଖବର ପରିବେଷଣ ଦିଗରେ ଏହି କର୍ମଶାଳା ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ନେଚର୍‌ ଇଣ୍ଡିଆ’ର ମୁଖ୍ୟ ସମ୍ପାଦିକା ଶୁଭ୍ରା ପ୍ରିୟଦର୍ଶନୀ, ଜଳବାୟୁ ଓ ପାଣିପା‌ଗ ବିଶେଷଜ୍ଞ ରଞ୍ଜନ ପଣ୍ଡା ଓ ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଗବେଷଣା ଓ ଅଭିଜ୍ଞତାକୁ ବଖାଣିଥିଲେ। ଏଥିସହ ସାମ୍ବାଦିକମାନଙ୍କୁ ଏନେଇ ଅଧିକ ପ୍ରଶିକ୍ଷଣ ଦେଇଥିଲେ । ଭିଉଜ୍‌ ଓଡ଼ିଶାର କାର୍ଯ୍ୟନୀର୍ବାହୀ ନିର୍ଦ୍ଦେଶକ ଏସ୍‌ ଭୀମା ରାଓ କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାମ୍ବାଦିକା ତାଜିନ୍‌ କ୍ୟୁରେସି ସ୍ବାଗତ ଅଭିଭାଷଣ ରଖିଥିଲେ ।