ବିଚାରପତି ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଅଭାବନୀୟ କାଣ୍ଡ । ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବିଚାରପତିଙ୍କ ପତ୍ନୀ ଏବଂ ପୁଅଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

30

କନକ ବ୍ୟୁରୋ : ନିଜର ଅଙ୍ଗ ସୁରକ୍ଷା ଯଦି ଗୁଳିମାଡ କରେ ତେବେ କଣ କରାଯାଇ ପାରିବ ? ଏପରି କଥା ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମରେ ଗତକାଲି ଜଣେ ଅତିରିକ୍ତ ଜିଲ୍ଲା ବିଚାରପତିଙ୍କ ପୁଅ ଏବଂ ପତ୍ନୀଙ୍କୁ ଦିବାଲୋକରେ ଗୁଳିମାଡ଼ ହୋଇଛି। ବିଚାରପତିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସରକାରୀ ବନ୍ଧୁକ ହିଁ ଏଭଳି କାଣ୍ଡ ଘଟାଇଛି। ବିଚାରପତିଙ୍କ ପୁଅଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ବେଳେ ପତ୍ନୀଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ହୋଇଛି। ଅଭିଯୁକ୍ତ ସୁରକ୍ଷା କର୍ମୀଙ୍କୁ ପୁଲିସ ଗିରଫ କରିଛି। ଗୁରୁଗ୍ରାମର ସେକ୍ଟର ୪୯ ସ୍ଥିତ ଆର୍କଡିଆ ମାର୍କେଟରେ ଜନଗହଳିପୂର୍ଣ୍ଣ ଅଂଚଳରେ ଗତକାଲି ଅପରାହ୍ନ ୩.୩୦ରେ ଏହି ଅଭାବନୀୟ କାଣ୍ଡ ଘଟିଛି। ଅତିରିକ୍ତ ଜିଲ୍ଲା ବିଚାରପତି କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ରେଣୁ ଓ ପୁଅ ସପିଂ ପାଇଁ ବାହାରିଥିଲେ।

 

ଏକ ମଲ୍ ସମ୍ମୁଖରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମହିପାଲ୍ ପ୍ରଥମେ ପତ୍ନୀ ଏବଂ ପରେ ପୁଅଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ମାରିବା ପରେ ଅଭିଯୁକ୍ତ ମହିପାଲ୍ ବିଚାରପତିଙ୍କ ପୁଅକୁ ଗାଡ଼ି ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲା । ତେବେ ଏଥିରେ ବିଫଳ ହେବାରୁ ସେ ତାଙ୍କୁ ରାସ୍ତା ଉପରେ ଫୋପାଡ଼ି କାର୍ ନେଇ ଫେରାର ହୋଇ ଯାଇଥିଲା। ସେଠାରୁ ଅଭିଯୁକ୍ତ ସିଧା ସଦର ଥାନାରେ ପହଞ୍ଚିଥିଲା ଏବଂ ସେଠାରେ ମଧ୍ୟ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। ଏହାର କିଛି ସମୟ ପରେ ପୁଲିସ ବାହିନୀ ତାକୁ ପିଛା କରି ଗିରଫ କରିଥିଲେ। ମହିପାଲ୍ ଦେଢ଼ବର୍ଷ ହେବ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ ରହିଥିଲା। ତେବେ କେଉଁ କାରଣ ପାଇଁ ସେ ଏଭଳି କାଣ୍ଡ ଘଟାଇଲା ତାହା ଜଣା ପଡ଼ିନଥିଲେ ମଧ୍ୟ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ବିଚାରପତିଙ୍କ ପତ୍ନୀ ତାକୁ କୌଣସି କାରଣରୁ ଅପାମାନିତ କରିଥିବାରୁ ସୁରକ୍ଷାକର୍ମୀ ଏଭଳି କାଣ୍ଡ ଘଟାଇଛି।