କଳିଙ୍ଗନଗରରେ ଛାତ୍ରଙ୍କୁ ମାରପିଟ ଘଟଣା ! ୨ଯବାନ ନିଲମ୍ବିତ, କାରଖାନାର ସୁରକ୍ଷା ଦାୟିତ୍ୱରୁ ହଟିବ ସିଆଇଏସଏଫ

34

କନକ ବ୍ୟୁରୋ: କଳିଙ୍ଗନଗରରେ ଛାତ୍ରଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ୨ ଜଣ ସିଆଇଏସଏଫ ଯବାନଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଟାଟା କାରଖାନାର ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫକୁ ହଟାଯିବ ବୋଲି ସୂଚନା ମିଳିଛି । ଯାଜପୁର ରୋଡ କଳିଙ୍ଗନଗର ସ୍ଥିତ ଗୋବରହାଟି ଆବାସିକ ହାଇସ୍କୁଲର ୩୩ ଜଣ ଛାତ୍ରଙ୍କୁ ଟାଟା ସୁରକ୍ଷାକର୍ମୀ ଆକ୍ରମଣ କରିଥିଲେ । ସ୍କୁଲରେ ରାତି ଅଧିରେ ପଶି ସୁରକ୍ଷା କର୍ମୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରତିବାଦରେ କମ୍ପାନୀ ଆଗରେ ଛାତ୍ର ଅନଶନ ଆରମ୍ଭ କରିଥିଲେ ।

ଅଭିଯୋଗ ଅନୁସାରେ, ରବିବାର ବିଳମ୍ବିତ ରାତିରେ ସିଆଇଏସଏଫର ୨୦ରୁ ୨୫ କର୍ମଚାରୀ ହଠାତ୍ ଟାଟା ଷ୍ଟିଲ୍ ଫାଟକ ନିକଟରେ ଥିବା ଗୋବରଘାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଭିତରେ ପଶି ଛାତ୍ର ଓ ଶିକ୍ଷକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସେମାନଙ୍କ ବହିପତ୍ର ଚିରି ଦେଇଥିଲେ । କର୍ମଚାରୀମାନେ ପାଖାପାଖି ୪୫ ମିନିଟ୍ ଧରି ତାଣ୍ଡବଲୀଳା ଚଳାଇଥିଲେ । ଆକ୍ରମଣ ଯୋଗୁ ସହକାରୀ ଶିକ୍ଷକ ରାମଚନ୍ଦ୍ର ରଥଙ୍କ କାନ୍ଧ, ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି । ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବାଘବାହାଳୀ ଗ୍ରାମର ଜଣେ ଭିନ୍ନକ୍ଷମ ଛାତ୍ର ସୁନିଲ ବାଙ୍କିରା (୧୧)ର ପିଠିରେ ଆଘାତ ଲାଗିଛି । ଏହିଭଳି ବହୁ ଛାତ୍ର ଓ ଶିକ୍ଷକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଛାତ୍ର ଓ ଶିକ୍ଷକମାନଙ୍କୁ ରାତିରେ ସ୍ଥାନୀୟ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଘଟଣାର ପ୍ରତିବାଦରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତକାଲି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ, ଶିକ୍ଷକଙ୍କ ସହ ଶହଶହ ଛାତ୍ର ଏକାଠି ହୋଇ ଟାଟା ଷ୍ଟିଲ୍ ସମ୍ମୁଖରେ ଆନ୍ଦୋଳନ ଚଳାଇଥିଲେ । ଟାଟା ଷ୍ଟିଲ୍ ସମ୍ମୁଖରେ ଥିବା ବ୍ୟାରିକେଡ୍ ଓ ସୁରକ୍ଷା ଘରକୁ ଜାଳିଦେବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସକାଳ ୮ଟାଠାରୁ ଟାୟାର୍ ଜାଳି ଡୁବୁରୀ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଥିଲେ । ଆନ୍ଦୋଳନକାରୀମାନେ ଟାଟାଷ୍ଟିଲ୍ର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫଙ୍କୁ ହଟାଇବା ପ୍ରତିଶ୍ରୁତି ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏହି ଆନ୍ଦୋଳନ ଚଳାଇଥିଲେ । ଏବଂ ଟାଟା ଷ୍ଟିଲ୍ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍ ପ୍ରତ୍ୟାହାର ସହିତ ୨ ଜଣ ଯବାନଙ୍କୁ ନିଲମ୍ବିତ ପରେ ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ହଟାଇ ନିଆଯାଇଛି ।

ଏ ସଂପର୍କରେ ଟାଟା ଷ୍ଟିଲ କର୍ତ୍ତୃପକ୍ଷ କହିଛନ୍ତି ଯେ, କଳିଙ୍ଗନଗର କାରଖାନାର ସମ୍ପୃକ୍ତ ସ୍କୁଲ୍ ନିକଟର ନିରାପତ୍ତା କର୍ମଚାରୀଙ୍କ ଉପରେ ବହୁବାର ଢେଲା ପଥର ମାଡ କରାଯାଇଛି । ଗତ ଫେବ୍ରୁଆରି ୧୫ ତାରିଖରେ ସେହି ବିଦ୍ୟାଳୟର ଜଣେ ଛାତ୍ର ଢେଲା ପଥର ମାଡ ଘଟଣାରେ ଧରାପଡିଥିଲେ । ଏ ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ, ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସିଆଇଏସଏଫ୍ କର୍ମଚାରୀମାନେ ପାଚେରି ଫାଙ୍କରେ ହଷ୍ଟେଲ ଛାତ୍ରୀମାନଙ୍କୁ ଉଣ୍ଡିବା ସହିତ ଅଶ୍ଳୀଳ ଇଙ୍ଗିତ କରିଆସୁଛନ୍ତି । ତେବେ, ଏହି ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଦାସ ଓ ଏସପି ଶ୍ରୀ ମୀନାଙ୍କ ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ କରାଯାଇଛି ।