ସମ୍ପତ୍ତି ବିକି ଫେରାର ହୋଇଗଲେ ଦୁଇ ପୁଅ, ଝିଅ ବି ଘରେ ପୁରାଇଲାନି…  କନ୍ଦେଇଦେବ ରାସ୍ତାରେ ବୁଲୁଥିବା ଏ ମା’ର କାହାଣୀ 

337

କନକ ବ୍ୟୁରୋ: ୮୦  ବର୍ଷର ବୃଦ୍ଧା ବର୍ଷାରେ ଭିଜୁଥିଲେ ଏବଂ କଇଁକଇଁ ହୋଇ କାନ୍ଦୁଥିଲେ । ଏହା କିଛି ସହୃଦୟ ଲୋକଙ୍କ ଆଖିରେ ପଡିଥିଲା ଏବଂ ସେମାନେ ପୁଲିସକୁ ଖବର ଦେଇଥିଲେ । ତୁରନ୍ତ ଜଣେ ଥାନାଧିକାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ବୃଦ୍ଧାଙ୍କୁ ପ୍ରଥମେ ଖାଇବାକୁ ଦେଇ ହସ୍ପିଟାଲ ନେଇଥିଲେ  । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇ ପଚରାଉଚୁରା କରିଥିଲେ । ଆଉ ଯାହା ଶୁଣିଥିଲେ ସେଥିରେ ପାଖରେ ଥିବା ଅନ୍ୟ ପୁଲିସ କର୍ମୀଙ୍କ ଆଖି ବି ଓଦା ହୋଇଯାଇଥିଲା ।

ବୃଦ୍ଧା ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ସୁରସା ଥାନା ଅଧିନରେ ଥିବା ଖରଜୁରହା ଗାଁର ରାମବେଟି ମିଶ୍ରା । ତାଙ୍କ ସ୍ୱାମୀ ହେଉଛନ୍ତି ରାମବାହାଦୁର ମିଶ୍ରା । ତାଙ୍କର ୨ ପୁଅ ଓ ଗୋଟିଏ ଝିଅ । ସମସ୍ତେ ବିବାହିତ । ସ୍ୱାମୀ କେବେଠୁ ଆରପାରିକୁ ଚାଲିଗଲେଣି । ଆଉ ତା’ ପରେ ବୃଦ୍ଧାଙ୍କ ଦୁଃଖ । ପୁଅମାନେ ଘରଦ୍ୱାର ବିକି ମା’କୁ ଅସହାୟ ଅବସ୍ଥାରେ ଛାଡିଦେଇ କେଉଁଆଡେ ଚାଲିଯାଇଛନ୍ତି ଯେ ତାଙ୍କର ଠିକଣା ମିଳୁନି । ଏପରି ଅବସ୍ଥାରେ ମା’ ଭିକାରୀ ଭଳି ରାସ୍ତାରେ ଘୁରି ବୁଲୁଛି । ଏହା ଜାଣିବା ପରେ  କୃଷ୍ଣାନଜର ପୁଲିସ ତାଙ୍କୁ ଉଦ୍ଧାର କରିଛି । ପୁଅମାନଙ୍କ ସହ କିଛି ଯୋଗାଯୋଗ ହୋଇନପାରିବାରୁ ଝିଅ ସହ ଯୋଗାଯୋଗ କରିଥିଲା । ହେଲେ ମା’କୁ ରଖିପାରିବ ନାହିଁ ବୋଲି ଝିଅ ରୋକଠୋକ୍ ମନାକରିଦେବାରୁ ଏକ ବୃଦ୍ଧାଶ୍ରମରେ ବୃଦ୍ଧାରାମବେଟିଙ୍କୁ ସ୍ଥାନାନ୍ତର କରିଛି ପୁଲିସ ।