ବିଚ୍ଛିନ୍ନାଂଚଳରେ ଥମିବାର ନା ଧରୁନି ଶିଶୁ ଶ୍ରମିକ ଚାଲାଣ । ମାଲକାନଗିରି ବସଷ୍ଟାଣ୍ଡରୁ ୯ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

60

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଥମୁ ନାହିଁ ଶିଶୁ ଶ୍ରମିକ ଚାଲାଣ । ପୁଣି ୯ ଶିଶୁ ଶ୍ରମିକଙ୍କୁ ଚାଲଣ କରାଯାଉଥିବା ବେଳେ ମାଲକାନଗିରି ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ତୁମସାପାଲି, ମାରିବେଡା, ବଇଲାପାଲି ଗାଁରୁ ୯ ଜଣ ନାବାଳିକାଙ୍କୁ ବିଶାଖାପାଟଣା ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ ଉଦ୍ଧାର କରିଛି । ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ଶହ ଶହ ଶିଶୁ ଶ୍ରମିକ ଚାଲାଣ ହେବାର ଖବର ରହିଛି । ବଣ୍ଡା ଘାଟି ସହ ଆଦିବାସୀ ନାବାଳିକା ମାନେ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉ ଥିବାର ଅନେକ ଅଭିଯୋଗ ରହିିଛି ।

ଅନ୍ୟପଟେ, ଜିଲ୍ଲାରେ ବାଲ୍ୟବିବାହ ବି ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ୩ ଦିନ ମଧ୍ୟରେ ପୁଣି ତିନି ତିନିଟି ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ପଣ୍ଡ କରଛି । କୋରୁକୋଣ୍ଡା ବ୍ଲକ  ଅନ୍ତର୍ଗତ ନିଳାକାମ୍ବେରୁ ପଂଚାୟତର ଏମ.ଭି -୫୨ ଗାଁର ଜଣେ ନାବାଳିକାଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଏମ.ଭି-୯୨ ଗାଁର ଜଣେ ଯୁବକଙ୍କୁ ନାବାଳିକା ଜଣକ ବିବାହ କରିଥାନ୍ତେ । କିନ୍ତୁ ଚାଇଲ୍ଡ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରି ସି.ଡବ୍ଲୁ.ସି କୁ ହସ୍ତାନ୍ତର କରିଛି ।