ଚଣ୍ଡିଗଡ ୟୁନିଭର୍ସିଟି ଛାତ୍ରୀଙ୍କ ଆପତିଜନକ ଭିଡିଓ ଭାଇରାଲ ଘଟଣା : ନିରପେକ୍ଷ ଯାଞ୍ଚ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ; ଅଭିଯୁକ୍ତ ଛାତ୍ରୀ ଓ ପୁରୁଷ ବନ୍ଧୁ ଗିରଫ

181

କନକ ବ୍ୟୁରୋ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଗାଧୁଆ ବେଳ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏହାର ପ୍ରତିବାଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ଘଟଣାର ନିରପେକ୍ଷ ଯାଞ୍ଚ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଜଣେ ଛାତ୍ରୀ ତାଙ୍କ ମୋବାଇଲରେ ଏହି ଭିଡ଼ିଓ ସୁଟିଂ କରି ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ ।

ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ସେମାନଙ୍କ ମୋବାଇଲ ଫୋନ୍ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି । ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଅନ୍ତେବାସୀମାନଙ୍କର ୫୦ରୁ ୬୦ ଭିଡିଓ ରହିଛି । ଅଭିଯୁକ୍ତ ସେସବୁ ଭିଡିଓକୁ ତାଙ୍କ ବନ୍ଧୁଙ୍କ ନିକଟକୁ ପଠାଇଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । ଗୋଟିଏ ମହଲାରେ ୨୦ଟି ରୁମ୍ ରହିଛି । ପ୍ରତି ରୁମରେ ୪ ଜଣ ଲେଖାଏଁ ଛାତ୍ରୀ ରହୁଛନ୍ତି ।

ତେଣୁ ଅନ୍ୟ ଛାତ୍ରୀମାନଙ୍କର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିବା ଆଶଙ୍କା କରାଯାଉଛି । ପଞ୍ଜାବ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରମିତ ସିଂହ ହେୟର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଏଥିରେ କୁହାଯାଇଛି ୬୦ ଏମ୍ଏମ୍ଏସ୍ ପ୍ରସାର ହୋଇଥିବା ଖବର ମିଛ ଏବଂ ଭିତିହୀନ । ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରି ଆପତିଜନକ ଭିଡ଼ିଓ ସୁଟିଂ ହୋଇନି ।