ଖାଉଟିଙ୍କ ପକେଟ୍ ଖାଲି କରୁଛି ଡାଲି ଦର । ଉତ୍ପାଦନ କମିଛି, ଦର ବୃଦ୍ଧି ପାଉଛି । ପରିଚାଳନାଗତ ତ୍ରୁଟି ପାଇଁ ଡାଲି ଦର ବଢୁଥିବା ଅଭିଯୋଗ 

182

କନକ ବ୍ୟୁରୋ : ଖୋଲା ବଜାରରେ ହରଡ ଡାଲି ମୂଲ୍ୟ କିଲୋ ପିଛା ୧୪୫ ରୁ ୧୫୦ ଟଙ୍କାରେ ବିକ୍ରୀ ହେଉଛି । ୬ମାସ ଭିତରେ ଡାଲି କିଲୋ ପିଛା ୪୦ଟଙ୍କା ବୃଦ୍ଧି ଘଟିଛି। ଚଳିତ ବର୍ଷ ଦେଶରେ ଡାଲି ଉତ୍ପାଦନ ୧୦ ପ୍ରତିଶତ କମିଛି । ତେଣୁ ଗୋଦାମରେ ଡାଲି ଅଭାବ ଦେଖା ଦେଉଛି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ହରଡ ଡାଲିର ରହିଛି । ଏହାର ସିଧା ପ୍ରଭାବ ଖାଉଟିମାନଙ୍କୁ ଉପରେ ପଡୁଛି। ଗତ ଜାନୁଆରୀ ମାସରେ ଡାଲିର  ପାଇକାରୀ ଦର କିଲୋ ପିଛା ୧୦୦ ଟଙ୍କା ଥିଲା ଏହା ଖୋଲା ବଜାରରେ ୧୦୪ ରୁ ୧୧୦ ଟଙ୍କାରେ ବିକ୍ରୀ ହେଉଥିଲା । କ୍ରମେ ପ୍ରତିମାସରେ ୧୦ ରୁ ୧୨ ଟଙ୍କା ବୃଦ୍ଧି ପାଇ ଏବେ ୧୫୦ରେ ପହଞ୍ଚିଛି । ଡାଲି କିଣିବା ବେଳେ ଲୋକଙ୍କୁ ଡର ଲାଗୁଛି। ଯେଉଁ ଲୋକ ଏକ କିଲୋ ଡାଲି ନେଉଥିଲେ ଏବେ ସେମାନେ ଅଧକିଲୋ ନେଉଛନ୍ତି । ଗରିବ ଲୋକ ଡାଲି ଖାଇବା ଭଳି ଦର ହେବା ଆବଶ୍ୟକ । ଡାଲି କିଣିବା ବେଳେ ପ୍ରବଳ ବାଧୁଥିବା କହୁଛନ୍ତି ଗ୍ରାହକ । ଏବେ ଡାଲି କିଣିକି ପିଲାଙ୍କୁ ଖୁଆଇବା ଗରିବଙ୍କ ପାଇଁ ସ୍ବପ୍ନ ହୋଇଯିବ ।  ଡାଲି ଯେପରି ସବୁ ଶ୍ରେଣୀର ଲୋକ କିଣି ପାରିବେ ସରକାର ସେଭଳି ଦର ନିର୍ଦ୍ଧାରିତ କରିବା ଉଚିତ୍।

ଅନ୍ୟପଟେ ବ୍ୟବସାୟୀଙ୍କ କହିବା କଥା ଗୋଦାମରେ ଡାଲି ଷ୍ଟକ୍ ନଥିବାରୁ ଦର ବୃଦ୍ଧି ହେଉଛି । ହରଡ ଡାଲି କିଲୋ ପିଛା ୪୦ ରୁ ୪୫ ଟଙ୍କା ବୃଦ୍ଧି ପାଇଛି ଫଳରେ ଡାଲି ଦର କିଲୋ ପିଛା ୧୫୦ ରେ ପହଞ୍ଚିଛି । ଡାଲି ଦର ବୃଦ୍ଧି ଯୋଗୁଁ ଖାଉଟି ବେଶି ଡାଲି କିଣୁ ନାହାନ୍ତି । ଫଳରେ ଡାଲି ବ୍ୟବସାୟ ମାନ୍ଦା ହେବାରେ ଲାଗୁଛି । ଯେଉଁ ବ୍ୟବସାୟୀଙ୍କ ଦିନକୁ ୨୦୦ କିଲୋ ଡାଲି ବିକ୍ରି ହେଉଥିଲା ତାହା ଏବେ କମି ୮୦ ରୁ ୯୦ କିଲୋରେ ପହଞ୍ଚିଛି । ଡାଲି ବ୍ୟବସାୟରେ ବିଶେଷ ଲାଭ ହେଉ ନାହିଁ ବରଂ ଏବେ କ୍ଷତି ସହିବାକୁ ପଡୁଥିବା ବ୍ୟବସାୟୀ କହିଛନ୍ତି।

ସେପଟେ ସରକାରଙ୍କ ପରିଚାଳନାଗତ ତୃଟି ପାଇଁ ଡ଼ାଲି ଦର ବୃଦ୍ଧି ହେଉଛି ଅଭିଯୋଗ କରୁଛି ଓଡ଼ିଶା ବ୍ୟବସାୟୀ ମହାସଂଘ । କର୍ପୋରେଟ ହାଉସ ମାନେ ଶହଶହ କାଉଣ୍ଟର ଖୋଲି ଅହେତୁକ ଭାବେ ଡାଲି ଷ୍ଟକ୍ ଗଛିତ ରଖିଛନ୍ତି । ସେମାନଙ୍କ ପାଖରେ ଯେହେତୁ ଗୋଦାମ ସୁବିଧା ଅଛି ଆର୍ଥିକ କ୍ଷେତ୍ରରେ ମଧ୍ୟ ସେମାନେ କୌଣସି ସମସ୍ୟା ନାହିଁ ତେଣୁ ଏହାର ଦୁରୁପଯୋଗ କରି ସେମାନେ ବାଜାରରେ ଦରବୃଦ୍ଧି କରୁଛନ୍ତି । ଚଳିତ ବର୍ଷ ୧୦% ଡାଲି ଉତ୍ପାଦନ କମିଛି ଏହାର ଅର୍ଥ ନୁହେଁ କି ଡାଲି ଦର କିଲୋ ପିଛା ୫୦ଟଙ୍କା ବୃଦ୍ଧି ହେବ । ଖାଉଟି ଓ ବ୍ୟବସାୟୀ ଉଭୟେ କ୍ଷତି ସହୁଛନ୍ତି । ଖାଉଟିମାନଙ୍କୁ ଡାଲି କିଣିବାକୁ ବାଧୁଛି ଫଳରେ ଗ୍ରାହକ ଡାଲି କମ୍ କିଣୁଛନ୍ତି।ଅନ୍ୟ ପଟେ ବ୍ୟବସାୟୀ ମାନେ ବି ଅଧିକ ଟଙ୍କା ବ୍ୟୟ କରିବାକୁ ପଡୁଛି । ବିଶେଷ କରି ହରଡ ଡାଲି ଦର ବୃଦ୍ଧି ରୋକିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। ସରକାର ବ୍ୟବସାୟୀମାନଙ୍କ ସହ ଆଲୋଚ କରି ଡାଲି ଦର ନିୟନ୍ତ୍ରଣ କରନ୍ତୁ।