ଦେଶରେ ୧୩ ପ୍ରତିଶତ ଶାଖା କାର୍ଯ୍ୟାଳୟ ବନ୍ଦ କରିବ ଏହି ବ୍ୟାଙ୍କ, ଜାଣନ୍ତୁ କାରଣ

186

କନକ ବ୍ୟୁରୋ:  ଦେଶରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଯାଉଛନ୍ତି । ଏହି କ୍ରମରେ ୟସ ବ୍ୟାଙ୍କର ମାମଲା ଏପର୍ଯ୍ୟନ୍ତ ତୁଟି ନଥିବା ବେଳେ ପୁଣି ଏକ ଜାତୀୟକରଣ ବ୍ୟାଙ୍କ ଦେଶରେ ତାର ୧୩ ପ୍ରତିଶତ ଶାଖା ବନ୍ଦ କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ସାରା ଦେଶରେ ୬୦୦ ଟି ବ୍ରାଞ୍ଚ ବନ୍ଦ କରିବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମାର୍ଚ୍ଚ ସୁଦ୍ଧା ନିଜର ୬୦୦ ଟି ଶାଖା ବନ୍ଦ କରିବ କିମ୍ବା ଏହାକୁ ନିକଟତମ ଶାଖା ସହ ମିଶାଇ ଦେବ ବୋଲି କୁହାଯାଇଛି । କହିରଖୁ କି ସାରା ଦେଶରେ ଏବେ ଏହି ବ୍ୟାଙ୍କର ୪୫୯୪ ଟି ଶାଖା ରହିଛି । ଏବେ ୬୦୦ ଟି ଶାଖା ବନ୍ଦ ହେବା ପରେ ଏହାର ଶାଖା ସଂଖ୍ୟା ୪୦୦୦ ତଳକୁ ଖସିଯିବ । ସେପଟେ କେବଳ ଶାଖା ବନ୍ଦ କରିବା ନୁହେଁ ଏହାସହ ବ୍ୟାଙ୍କ ନିଜର କିଛି ରିଅଲ ଇଷ୍ଟେଟ୍ ସମ୍ପତ୍ତି ବିକ୍ରି କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏଭଳି କରି ବ୍ୟାଙ୍କ ନିଜର ଆର୍ଥିକ ସ୍ଥିତିର ସୂଧାର ଆଣିବାକୁ ଚେଷ୍ଟା କରୁଛି ।

ସୂଚନା ଥାଉକି ଖରାପ ଆର୍ଥିକ ସ୍ଥିତି ଓ ରେଗୁଲେଟରୀ କ୍ୟାପିଟାଲ ନିୟମ ଉଲଙ୍ଘନ ଯୋଗୁଁ ୨୦୧୭ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସେଣ୍ଟ୍ରାଲ ବ୍ୟାଙ୍କ ସମେତ ଅନ୍ୟ କିଛି ବ୍ୟାଙ୍କକୁ ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) ଅଧିନରେ ରଖିଥିଲା । ଏହି କଟକଣା ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ସେହି ବ୍ୟାଙ୍କମାନଙ୍କ ଋଣ ପ୍ରଦାନ, ଜମା, ନୂଆ ନିଯୁକ୍ତି ଓ ସଂପ୍ରସାରଣ ଉପରେ କଟକଣା ଲଗାଇଥାଏ ।