ମାଟିତଳୁ ପାଣି ଉଭାନ! ରାଜ୍ୟରେ ତଳକୁ ଖସୁଛି ଭୂତଳ ଜଳ, ଆଗକୁ ପିଇବା ପାଣି ମିଳିବା ହୋଇଯିବ କଷ୍ଟକର ।

194

କନକ ବ୍ୟୁରୋ : ଭୂତଳ ଜଳକୁ ନେଇ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି । ଆମେ ପାଣି ବ୍ୟବହାର କଲାବେଳେ କେବେ ଚିନ୍ତା କରୁନାହୁଁ, କେଉଁଠୁ ଆସୁଛି ଏବଂ କିଛି ସଂକଟ ଅଛି କି ? କିନ୍ତୁ ଏହି ରିପୋର୍ଟ ଆପଣଙ୍କ ଆଖି ଖୋଲିଦେବ । ଅନୁସନ୍ଧାନ ହୋଇଥିବା ଓଡିଶାର ୬ଟି ବ୍ଲକରେ ସାଂଘାତିକ ଭାବେ ତଳକୁ ଖସିଯାଇଛି ପାଣି । କିଛି ସ୍ଥାନରେ ୮୦ ଫୁଟ ଖୋଳିବା ପରେ ବି ପାଣି ବାହାରୁନି ।

ତଳକୁ ଖସୁଛି ଭୂତଳ ଜଳସ୍ତର । ରାଜ୍ୟର ୪୬ ବ୍ଲକରେ ଉତ୍କଟ ହେଉଛି ସ୍ଥିତି । ୬ଟି ବ୍ଳକରେ ସ୍ଥିତି ସାଂଘାତିକ । ଖରାଦିନ ହେଉ ହେଉ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଜଳକଷ୍ଟର ଚିତ୍ର । ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଏବେଠୁ ଶୁଖିଲା ପଡିଛି କୂଅ । ପାଖାପାଖି ୮୦ ଫୁଟ ଖୋଳିବା ପରେ ପାଣିର ସନ୍ଧାନ ମିଳୁଛି । ସମାନ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ । ଧୀରେ ଧୀରେ ଗାଏବ ହୋଇଗଲାଣି ଭୂତଳ ଜଳସ୍ତର । ଦିନକୁ ଦିନ ସଂଗୀନ ହେବାରେ ଲାଗିଛି ସ୍ଥିତି ।

ପାଣି ବ୍ୟବହାର କରୁଥିବା ବେଳେ ଆପଣ ହୁଏତ କେବେ ଚିନ୍ତା କରିନଥିବେ, ଏହି ପାଣି ଯେଉଁଠୁ ଆସୁଛି, ତାର ଅବସ୍ଥା କଣ ଅଛି । ଧୀରେ ଧୀରେ ପାଣି ତଳକୁ ତଳକୁ ଖସିବାରେ ଲାଗିଛି । ଯେଉଁଠି ୧୫ – ୨୦ ଫୁଟ ତଳେ ପାଣି ମିଳୁଥିଲା, ଏବେ ଏହା ଢେର ତଳକୁ ଖସିଯାଇଛି । ବାଲିଆପାଳ, କୋରେଇ, ଗରଦପୁର, ଭୁବନେଶ୍ୱର, ବୋଲଗଡ଼ ଓ ନୂଆପଡ଼ା ବ୍ଳକର ଅବସ୍ଥା ସଂଗୀନ ହେବାରେ ଲାଗିଛି । ଭୂତଳ ଜଳ ସ୍ତର ଏତେ ତଳକୁ ଖସି ଗଲାଣି ଯେ ଆଗକୁ ପିଇବା ପାଇଁ ପାଣି ମିଳିବା ବି କଷ୍ଟକର ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବାଲିଆପାଳରେ ଜଳସେଚନ, କାରଖାନା ଓ ଘରୋଇ ବ୍ୟବହାର ପାଇଁ ୮୬ ପ୍ରତିଶତ ଭୂତଳ ଜଳ ଖର୍ଚ୍ଚ ହେଉଛି । କୋରେଇରେ ବି ୮୬ ପ୍ରତିଶତ ଭୂତଳ ଜଳ କଢ଼ା ଯାଉଛି । ଗରଦପୁର ବ୍ଳକରେ ୭୪ ପ୍ରତିଶତ, ଭୁବନେଶ୍ୱର ଓ ବୋଲଗଡ଼ ବ୍ଲକରେ ମାଟି ତଳୁ ୮୦ ପ୍ରତିଶତ କଢ଼ା ଯାଇ ବ୍ୟବହାର ହୋଇଛି । ସେହିପରି ନୂଆପଡ଼ାରେ ୭୫ ପ୍ରତିଶତ ଜଳ ଖର୍ଚ୍ଚ ହେଉଛି । ଫଳରେ ଜଳ ସ୍ତର ବହୁ ତଳକୁ ଖସିଗଲାଣି ।

ଭୂତଳ ସ୍ତରକୁ ନେଇ ଆସୁଥିବା ଏହି ରିପୋର୍ଟ, ସମସ୍ତଙ୍କ ପାଇଁ ସତର୍କବାଣୀ ସଦୃଶ୍ୟ ହୋଇଛି । ଯଦି ଏହି ହାରରେ ଭୂତଳ ଜଳ ସ୍ତର ତଳକୁ ଖସିବାରେ ଲାଗିବ, ତେବେ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଗୋଟିଏ ପଟେ ପ୍ରଚଣ୍ଡ ଖରା ଯୋଗୁଁ ନଦୀ, ପୋଖରୀ ଶୁଖିଯାଉଛି । ଭୂପୃଷ୍ଠ ଜଳ ଶୁଖିଯିବା ପରେ ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ି ବଢ଼ି ଚାଲିଛି । ଗଭୀର ନଳକୂଅରୁ ବି ପାଣି ବାହାରୁନାହିଁ । କାରଣ ଯେତିକି ପାଣି ବ୍ୟବହାର ହେଉଛି, ସେତିକି ପାଣି ରି-ଚାର୍ଜ ହେଉନାହିଁ । ତେବେ ନିକଟରେ ଡ୍ରାଫ୍ଟ ପଲିସି କରାଯାଇ ଖୁବଶୀଘ୍ର ଭୂତଳ ଜଳ ନିୟମ ଆଣିବାକୁ ଯାଉଛନ୍ତି ସରକାର । ମନଇଚ୍ଛା ବୋରୱେଲ ଖୋଳିବା ଉପରେ ଅଂକୁଶ ଲାଗିବ । ନଳକୂଅ ଖୋଳିବାକୁ ହେଲେ ଅନୁମତି ଆଣିବାକୁ ପଡିବ । ରାଜ୍ୟର ୬ଟି ବ୍ଳକର ଭୂତଳ ଜଳ ସ୍ଥିତି ସଂକଟଜନକ ରହିଛି । ଏହାଛଡ଼ା ୪୬ଟି ବ୍ଲକ ବିପଦ ଆଡକୁ ମୁହାଁଉଛି । ଏହିସବୁ ବ୍ଳକରେ ୬୦ରୁ ୭୦ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି ।