ସତ ବାହାର କରିବାକୁ ସିବିଆଇର ତନାଘନା । ଦ୍ୱିତୀୟ ଦିନରେ ରେଳ ଅଧିକାରୀଙ୍କ ମୋବାଇଲ ସିଜ୍, କଲ୍ ରେକର୍ଡ, ହ୍ୱାଟସଆପ ଚାଟିଂ ଯାଞ୍ଚ କରୁଛି ସିବିଆଇ ଟିମ୍

279

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ପଛର ସତ କ’ଣ, ସିବିଆଇ କରୁଛି କସରତ । ଆଜି ତଦନ୍ତର ଦ୍ୱିତୀୟ ଦିନରେ ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିିଛନ୍ତି । ତଦନ୍ତ ବେଳେ ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଥିବା ସୂଚନା ରହିଛି । ସେହିପରି କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆର ତଥ୍ୟ ସଂଗ୍ରହ କରୁଛି ସିବିଆଇ । ଏବେ ଏହି ସବୁ ମୋବାଇଲ ଏବଂ ଡାଟାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି ।

ସେହପରି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଟ୍ରେନର ଲୋକପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି । ଆଜି ଏହି ଛାତିଥରା ଦୁର୍ଘଟଣାରେ ସିବିଆଇ ତଦନ୍ତର ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ତଦନ୍ତ କରିବାକୁ ଯାଇ ସିବିଆଇ ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ନାଁ ମଣିଷକୃତ ହେରଫେର ଯୋଗୁଁ ଘଟିଲା ଅଘଟଣ ତାହାର ଖୋଳତାଡ଼ କରୁଛି ସିବିଆଇ ଟିମ୍ । ଦୁର୍ଘଟଣାରେ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ସହ ଆଲୋଚନା କରି ତନ୍ଦନ୍ତ ଆଗକୁ ବଢାଇବାକୁ ଚିନ୍ତା କରୁଛି ସିବିଆଇ । ଅନ୍ୟପଟେ ଏହି ମାମଲାରେ ରେଲୱେ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି । ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି ।