କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ପରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଏଥିରେ ସବୁଠାରୁ ବଡ ନିଷ୍ପତ୍ତି ବିଏସଏନଏଲକୁ ନେଇ ନିଆଯାଇଛି । ବୁଧବାର କ୍ୟାବିନେଟ ବୈଠକରେ ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜ ଉପରେ ମୋହର ଲାଗିଛି । ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବାକୁ ଖର୍ଚ୍ଚ କରାଯିବ ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତଥର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ବୃଦ୍ଧି କରାଯାଇଛି । ବିଶେଷ ଭାବେ ଡାଲିକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ହରଡ ଓ ବୁଟ ଡାଲି ଉପରେ ସହାୟକ ମୂଲ୍ୟ କ୍ରମାନ୍ୱୟରେ ୪୦୦ଟଙ୍କା ଓ ୩୫୦ ଟଙ୍କା କୁଇଣ୍ଟାଲ ପ୍ରତି ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ପରେ ଏବେ ହରଡ ଡାଲି କୁଇଣ୍ଟାଲ ପ୍ରତି ୭ହଜାର ଟଙ୍କା ଓ ବୁଟ ଡାଲି କୁଇଣ୍ଟାଲ ପ୍ରତି ୬,୯୫୦ ଟଙ୍କା ଚାଷୀମାନଙ୍କୁ ମିଳିବ ।
କେବଳ ସେତିକି ନୁହେଁ କ୍ୟାବିନେଟ ବୈଠକରେ ସରକାର ଧାନ ଓ ମକା ଉପରେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ମକା ଉପରେ ସରକାର ୧୨୮ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିବା ବେଳେ ଧାନ ଉପରେ ୧୪୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି । କହିରଖୁ କି ସରକାରଙ୍କ ତରଫରୁ ପ୍ରତିବର୍ଷ ୨୩ ଟି ଫସଲ ଉପରେ ଏମଏସପି ଘୋଷଣା କରାଯାଇଥାଏ ।