କାନ ଖୋଲି ଶୁଣ ସରକାର: ଅବସର ପରେ ବି ମିଳିପାରିନି ପେନସନ୍  

327

କନକ ବ୍ୟୁରୋ: ଚାକିରି କାଳ ଶେଷ ହେବା ପରେ ଅବସର କାଳୀନ ପେନସନ୍ ପାଇଁ ସରକାର ଯୋଜନା କରିଛନ୍ତି । ବର୍ଷ ବର୍ଷ ଧରି ସେବା ଯୋଗାଇବା ପରେ ଏହି ପେନ୍ସନ୍ ହିଁ ସରକାରୀ କର୍ମଚାରୀଙ୍କ ଶେଷ ଆଶ୍ରା ପାଲଟୁଛି । ଚାକିରିରୁ ଅବ୍ୟାହତି ନେବା ପରେ ଯେମିତି ସୁରୁଖୁରୁରେ ପେନ୍ସନ୍ ମିିଳିବ, ସେଥିପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ହେଲେ ପିଲାଙ୍କ ଭବିଷ୍ୟତ ଗଢୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ପେନ୍ସନ୍ ମିଳୁନି । ଏଭଳି ଆପତି, ଅଭିଯୋଗ ସାମ୍ନାକୁ ଆସିବା ପରେ ୬ଟି ଜିଲ୍ଲାର ୭ଟି କଲେଜର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ୩ ଦିନ ଭିତରେ ସନ୍ତୋଷ ଜନକ ଉତର ନ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ମିଳିଛି ।

ଅବସର ପରେ ଜୀବନ ଟା ଯେମିତି ଅଟକି ଯାଇଛି ।  ଜୀବନର ୩୫ ବର୍ଷ ସରକାରୀ  ଚାକିରୀ କଲେ ଭରତ ଚନ୍ଦ୍ର । ବରଗଡ ଜିଲ୍ଲାର ଲରମ୍ଭା କଲେଜରେ ପିଅନ ଭାବେ କାମ କରୁଥିଲେ ଭରତ ଚନ୍ଦ୍ର ଦୀପ୍  । ଅବସର ପରେ ଯେତିକି ପେନସନ ମିଳିଯିବ ସେଥିରେ ଭଲରେ ଚଳିଯିବେ ବୋଲି ଭାବିଥିଲେ ଭରତ । କିନ୍ତୁ ଅବସର ନେବାକୁ ୪ ବର୍ଷ ହେବାକୁ ବସିଲାଣି , କିନ୍ତୁ ଏଯାଏଁ ମିଳିପାରିନି ପେନସନ । ପେନସନ ପାଇଁ କଲେଜ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ଭରତଙ୍କ ଦୁଖ ବୁଝିବାକୁ ଯେମିତି କାହା ପାଖରେ ସମୟ ନଥିଲା । ପେନସନ ନମିଳିବାକୁ ନେଇ ଉଚ୍ଚ ଶିକ୍ଷା ବିବାଗ ତତ୍ପରତା ଦେଖାଇବା ପରେ ଭରତଙ୍କୁ କଲେଜକୁ ଡକରା ଆସିଥିଲା ।

ଜଣେ ନୁହନ୍ତି କି ଦୁଇଜଣ ନୁହନ୍ତି, ୬ ଜିଲ୍ଲାର ୭ଟି କଲେଜର ୧୧ ଜଣ ଅଧ୍ୟାପକ ଓ କର୍ମଚାରୀ ଅବସର ନେଇ ସାରିଥିବା ବେଳେ ସେମାନଙ୍କ ପେନସନ୍ କାହିଁକି ମିଳିନି ସେନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶିକ୍ଷା ବିଭାଗ ।

ଏନେଇ କଟକ ଜିଲ୍ଲାର ବାଙ୍କୀ ସ୍ୱଂୟ ଶାସିତ ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାର ଆଂଚଳିକ ମହାବିଦ୍ୟାଳୟ ହାଟଡିହି, ଜଗତସିଂହପୁରର କୁଜଙ୍ଗ କଲେଜ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ଅନୁଗୁଳ ମହିଳା ମହାବିଦ୍ୟାଳୟ, ବରଗଡ଼ର ଲରମ୍ବା କଲେଜ, କଟକ କୁଅାଁପାଳର ଜେଏନ୍ କଲେଜ । ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  କିନ୍ତୁ ଏହି ନୋଟିସ ବିରୋଧରେ ପ୍ରଶ୍ନ  ଉଠାଇଛନ୍ତି ଧର୍ମଶାଳା କଲେଜ ଅଧ୍ୟକ୍ଷ ।

ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ନୋଟିସର ୩ ଦିନ ଭିତରେ ଉତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତର ନରଥିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଉଚ୍ଚଶିକ୍ଷା ବିଭାଗ ।