ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର

103

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀକୁ ଯମ ଯନ୍ତ୍ରଣା ଦେଉଛି ଯମୁନା ନଦୀ । ହାତିନୀଡ୍ୟାମରୁ ପାଣି ଛଡାଯିବା ପରେ ଗତ କିଛି ଦିନ ହେବ ଦିଲ୍ଲୀର ସ୍ଥିତି କେଉଁଭଳି ରହିଛି ସେକଥା କାହାକୁ ଅଛପା ନାହିଁ । ଦେଶର ରାଜଧାନୀର ଅବସ୍ଥା ଯେ ଏଭଳି ହେବ ସେକଥା ହୁଏତ କେହି ଚିନ୍ତା କରିନଥିବେ । ବର୍ତମାନ ସେଠାକାର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଅଧିକାଂଶ ସ୍ଥାନରେ ବନ୍ୟା ପାଣି ଜମାଟ ବାନ୍ଧିଥିବାବେଳେ ଯେଉଁଠୁ ପାଣି ଛାଡିଯାଇଛି ସେଠାକାର ସ୍ଥିତି କଥା ନକହିଲେ ଭଲ ।

ଦିଲ୍ଲୀ ରାସ୍ତାରେ ଉପରେ ଲହଡି ଭାଙ୍ଗୁଛି ଯମୁନା ପାଣି । ରାସ୍ତା ନା ନଦୀ ତାକୁ ନେଇ ଭ୍ରମ ସୃଷ୍ଟି ହୋଇଛି । କାଶ୍ମୀର ଗେଟ୍, ଆଇଟିଓ, ଆଇଏସବିଟି, ଯମୁନା ବଜାର, ସିଭିଲ ଲାଇନ ଭଳି ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଭାବେ ରହିଛନ୍ତି ଲୋକେ । ଜଳ ନିଷ୍କାସନ ପାଇଁ ପ୍ରଶାସନର ପ୍ରୟାସ ଜାରି ରହିଥିବାବେଳେ ବହୁ ସ୍ଥାନରେ ଡ୍ରେନ ସମସ୍ୟା ବାଧକ ସାଜିଛି । ପ୍ରତିଦିନର ଟ୍ରାଫିକ ସମସ୍ୟା ଭିତରେ କୁତ୍ରିମ ବନ୍ୟା ସତେ ଯେମତି ରାଜଧାନୀବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ସେପଟେ ଆଗାମୀ କିଛି ଦିନ ପାଇଁ ସର୍ତକତା ଜାରି କରିଛି ଆଇଏମଡି ।

ଦୁଇଦିନର ଆଶ୍ୱସ୍ତି ପରେ ସୋମବାର ଯମୁନା ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ସେପଟେ ବନ୍ୟା ପ୍ରଭାବିତଙ୍କ ପାଇଁ ରହିବାଠୁ ନେଇ ଖାଦ୍ୟ, ସ୍ୱାସ୍ଥ୍ୟ ସବୁ ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ସରକାର । ୨୭ଶହ ଶିବିରରେ ପ୍ରାୟ ୩୦ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ସେପଟେ ଦିଲ୍ଲୀ ସଙ୍କଟ ପାଇଁ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି ରାଜନୀତି ଜାରି ରହିଛି ।

ଦିଲ୍ଲୀର ବନ୍ୟାସ୍ଥିତି ଯୋଗୁଁ ଆହୁରି ଦୁଇ ଦିନ ସ୍କୁଲ ବନ୍ଦ ରହିବା ନେଇ ସୂଚନା ରହିଛି । ଲଗାଣ ବର୍ଷା, ଯମୁନା ଜଳସ୍ତର ବୃଦ୍ଧି, ବନ୍ୟା ପରିସ୍ଥିତି ଆଗକୁ ରାଜଧାନୀର ସମସ୍ୟା ବଢ଼ାଇବା ନେଇ ଆଶଙ୍କା ରହିଛି ।