ଶାଶୁ ସମ୍ଭାଳିଲେ ପିଲା, ପୁଅ ଓ ବୋହୂ ପଢିଲେ ପାଠ । ବିପିଏସସି ପରୀକ୍ଷାରେ ପାସ୍ କରି ଏକାସାଥିରେ ପାଇଲେ ଶିକ୍ଷକ ନିଯୁକ୍ତି

586

କନକ ବ୍ୟୁରୋ : ବିହାର ସରକାର ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମୋଟ ୧,୭୦, ୪୬୧ ଜଣ ଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏନେଇ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ଘୋଷଣା ହେବା ପରେ ୧.୫ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ପୂରଣ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ନୀରଜ ଓ ମମତା । ସେମାନେ ବିହାର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପାସ୍ କରି ଏବେ ଚାକିରି ପାଇଛନ୍ତି । ବଡ କଥା ହେଉଛି ଏହି ଦୁଇଜଣ ସ୍ୱାମୀ ଓ ସ୍ତ୍ରୀ ।

ମୁଜଫରପୁରର ପତି ପତ୍ନୀ ନୀରଜ ଓ ମମତା ଏକାସାଥିରେ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା ପାସ୍ କରିଛନ୍ତି । ଶିବହର ଜିଲ୍ଲା ହରପୁର ଗାଁରେ ରହୁଥିବା କୃଷକ ପ୍ରକାଶ ଶର୍ମାଙ୍କ ପୁଅ ଓ ବୋହୂ ହେଉଛନ୍ତି ନୀରଜ ଓ ମମତା । ଶ୍ୱଶୂର ଘର ଲୋକ ମମତାଙ୍କୁ ଅଧିକ ପଢିବା ପାଇଁ ସମସ୍ତ ସହଯୋଗ କରିଥିଲେ । ଯେତେବେଳେ ମମତା ପାଠ ପଢିବାକୁ ବାହାରିଲେ ସେତେବେଳେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଶାଶୁ ନେଇଥିଲେ । ଏହି ସହଯୋଗ ପାଇଁ ମମତା ଏବେ ସଫଳତା ପାଇଥିବାରୁ ସେ ସମ୍ପୂର୍ଣ୍ଣ ଶ୍ରେୟ ଶାଶୁ ଓ ଶ୍ୱଶୂରଙ୍କୁ ଦେଇଛନ୍ତି ।

ନୀରଜ କହିଛନ୍ତି କି ସେ ପ୍ରଥମେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ମମତା ତାଙ୍କୁ ଅଧିକ ପଢିବା ପାଇଁ ଚାପ ପକାଇଥିଲେ । ଏହା ସହ ମମତା ସ୍ୱାମୀ ନୀରଜଙ୍କ ପାଇଁ ନୋଟ୍ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ସମସ୍ତ ସହଯୋଗ କରିଥିଲେ । ଏଥିରେ ସଫଳତା ହାସଲ କରି ଉଭୟ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏବେ ବିପିଏସସି ପରୀକ୍ଷା ପାସ୍ କରି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।