ବିଜେପି ଫୋକସରେ ଆଦିବାସୀ ଭୋଟ୍ । ମୋଦିଙ୍କ ଗସ୍ତ ପରେ ଓଡ଼ିଶା ଆସିବେ ଶାହା, ଜନଜାତି ଭୋଟ୍ ବ୍ୟାଙ୍କ ହାତେଇବାକୁ ରଣନୀତି ।

ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ବିଜେପି ପକ୍ଷରୁ ଜନଜାତି ଆଦିବାସୀ ରାଷ୍ଟ୍ରୀୟ ମହାଅଧିବେଶନ ଆୟୋଜନ କରାଯିବ ।

168

କନକ ବ୍ୟୁରୋ: ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳଳ ପରେ ଶକ୍ତି ଗୋଟାଉଛି ବିଜେପି । ଆଉ ୩ଟି ବିଜେପି ଶାସିତ ରାଜ୍ୟ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି ଚିତପଟାଙ୍ଗ ମାରିବାପରେ ଓଡ଼ିଶା ଉପରେ ଫୋକସ ଦେଉଛନ୍ତି ବିଜେପି ମଙ୍ଗୁଆଳ ମୋଦି ଓ ଶାହା । ଅନୁସୂଚିତ ଜନଜାତି ବିଭାଗ ଦାୟିତ୍ବରେ ଥିଲେ ମଧ୍ୟ ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ରେ କିଛି ବି ପ୍ରଭାବ ପଡିଲାନି। ଆଉ ବିଜେପି ହାତରୁ ଚାଲିଗଲା ଜନଜାତି ଭୋଟ୍ ବ୍ୟାଙ୍କ ପରିଣାମ ହେଲା କ୍ଷମତାଚ୍ୟୁତ ହେଲା ବିଜେପି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡ଼ିଶାର ସାଂସଦ । କାଳେ ଏଠାରେ ସ୍ଥିତି ବିଗିଡ଼ି ଯିବ ଆଉ ଆଦିବାସୀ ଭୋଟ ହାତରୁ ଚାଲିଯିବ ସେ ଚିନ୍ତା ରାଜ୍ୟ ବିଜେପିକୁ ଘାରିଛି ।

ମୋଦିଙ୍କ ଗସ୍ତର ଠିକ୍ ପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ବିଜେପି ପକ୍ଷରୁ ଜନଜାତି ଆଦିବାସୀ ରାଷ୍ଟ୍ରୀୟ ମହାଅଧିବେଶନ ଆୟୋଜନ କରାଯିବ । ଏନେଇ ଗତାକାଲି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଜନଜାତିମାନଙ୍କର ଅଧିକାରକୁ ଛଡ଼ାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ଠିକ୍ ଭାବେ ଲାଗୁ ନକରିବା ଓ ଆଦିବାସୀଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଘେରିବା ପାଇଁ ଏହି ଦୁଇ ଦିନିଆ ଅଧିବେଶନ ରେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିବ ବିଜେପି ।

juel oram on bjdଏହି ଅଧିବେଶନ କଟକ ଓ ଭୁବନେଶ୍ବର ମଝିରେ ଆୟୋଜନ ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୫ହଜାର ପ୍ରତିନିଧି ସାମିଲ୍ ହେବେ। ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଯୋଗଦେବେ । ଏହି ଅଧିବେଶନରେ କିପରି ରାଜ୍ୟ ସରକାର ଜମି ନଥାଇ ଆଦିବାସୀଙ୍କୁ ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି , ୬ମାସ ପାଇଁ ଜାତି ପ୍ରମାଣପତ୍ର ଦିଆଯାଉଛି, ବିଭିନ୍ନ ଜନଜାତି ବର୍ଗଙ୍କୁ ଷ୍ଟାଇପେଣ୍ଡ ମିଳୁନି, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧିମାନଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି ଭଳି ଅଭିଯୋଗର ଚିଠା ପ୍ରସ୍ତୁତ କରି ଅଗାମୀ ୨୦୧୯ ନିର୍ବାଚନୀ ପାଇଁ ବିଜେପି କରିବ ସମର ସଜ୍ଜା ।

ସେପଟେ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଜେପି ୩ ରାଜ୍ୟରେ ମୂଳପୋଛ ହୋଇଯାଇଛି । ଯାହା ସ୍ପଷ୍ଟ ହୋଇଛି ଯେ, ବିଜେପିକୁ ଜନତା ପ୍ରତ୍ୟାଖ୍ୟାନ କରିବାରେ ଲାଗିଲେଣି । କାରଣ ବିଜେପି ହେଉଛି ମିଥ୍ୟାର ସୌଦାଗର ସରକାର, କେବଳ ପମ୍ଫା ଭାଷଣ ଛଡ଼ା କୌଣସି ପ୍ରତିଶ୍ରୁତି ପୂରଣ କରିନାହାହିଁ ବିଜେପି । ତେବେ ବିଜେପିର ୩ରାଜ୍ୟର ପରାଜୟର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଏବଂ ବିଶେଷ କରି ପଶ୍ଚିମ ଓଡ଼ିଶାରେ ପଡ଼ିବ ବୋଲି କହିଛନ୍ତି ନରସିଂହ ।