‘କାଳିଆ’ ପାଇଁ ଅର୍ଥ ବରାଦ ବିବାଦ ! ତଥ୍ୟ ସହ ବିଜେଡ଼ି କହିଲା ସାମ୍ବିଧାନିକ ନିୟମ ଅନୁସାରେ ଖର୍ଚ୍ଚ ହେଉଛି ଅର୍ଥ ।

ବିଜେଡ଼ିର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ‘କାଳିଆ’ ଯୋଜନା ରହିଛି ।

181

କନକ ବ୍ୟୁରୋ: ‘କାଳିଆ’ ଯୋଜନା ପାଇଁ ଶାସକ ବିରୋଧୀ ମଧ୍ୟରେ କଳି ଲାଗି ରହିଥିବାବେଳେ ବିଜେଡି ରଖିଛି ଉତ୍ତର । କାଳିଆ ଯୋଜନା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡ଼ିର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ‘କାଳିଆ’ ଯୋଜନା ରହିଛି । ଆଉ ଏହି ଯୋଜନା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ସାମ୍ବିଧାନିକ ନିୟମ ବ୍ୟବସ୍ଥା ଦ୍ୱାରା ଅର୍ଥ ଖର୍ଚ୍ଚ କରାଯାଉଛି । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍ ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇଛି । 

ବିଜେଡି କହିବା ମୁତାବକ ଏହି ‘କାଳିଆ’ ଯୋଜନା ଦ୍ୱାରା ଋଣ ବୋଝ ବଢ଼ିବା ଆଶଙ୍କା ନାହିଁ । ବରଂ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣବୋଝ କମ୍ ବୋଲି ଜବାବ ରଖିଛି ବିଜେଡି । ବାରମ୍ବାର ବିରୋଧୀମାନେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି । ରାଜ୍ୟର ୩୦ଲକ୍ଷ କୃଷକଙ୍କ ପାଇଁ ଏହି ଯୋଜନା ସଞ୍ଜୀବନୀ ସଦୃଶ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ।

ଅନ୍ୟପଟେ ‘କାଳିଆ’ ଯୋଜନା ନେଇ ବିଜେଡିକୁ ଘେରିବାକୁ ବାରମ୍ବାର ରଣନୀତି କରୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏହାର ଜାବବ ମଧ୍ୟ ବିଜେଡି କଡ଼ାଗଣ୍ଡା କରି ରଖୁଛି । କିନ୍ତୁ ଆଗାମୀ ନିର୍ବାଚନ ପାଖେଇ ଆସୁଥିବାବେଳେ ଉଭୟ ବିରୋଧୀଙ୍କୁ ଅନ୍ୟ କିଛି ପ୍ରସଙ୍ଗ ନ ମିଳିବାରୁ ଏଭଳି ଅପପ୍ରଚାର କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।