ବିଜେଡିର ଗ୍ୟାସ ବନାମ ବିଜେପିର ବିଜୁଳି: ଚୁଲି ଜାଳି ପ୍ରତିବାଦ କଲା ବିଜେଡି, ବିଞ୍ଚଣା ବୁଲାଇ କଟାକ୍ଷ କଲା ବିଜେପି

94

କନକ ବ୍ୟୁରୋ: ବିଜୁଳି କାଟକୁ ନେଇ ବିଜେପି ଆନ୍ଦେଳନକୁ ଓହ୍ଲାଇଥିବା ବେଳେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ ଧାରଣା ଦେଇଛି ବିଜେଡି । ପାୱାର କଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିଥିବା ବେଳେ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ପ୍ରସଙ୍ଗ କରିଛି ବିଜେଡି । ରାଜଭବନ ସମ୍ମୁଖରେ ଗ୍ୟାସ୍ ସିଲିଣ୍ଡର ରଖି ପ୍ରତିବାଦ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଧାରଣା ସ୍ଥଳରେ ଚୁଲି ଜାଳି ପ୍ରତିବାଦ କରାଯାଇଛି । ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ସହ ଦଳ ଅଭିଯୋଗ କରିଛି, ଗ୍ୟାସ୍ ଦର ହ୍ରାସ ପାଇଁ ବାରମ୍ବାର ଦାବି ହେଉଥିଲେ ବି କେନ୍ଦ୍ର ସରକାର ନିରବ ରହିଛନ୍ତି । ତୁରନ୍ତ ଦର ହ୍ରାସ ନକଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଂଚାୟତ ଓ ଗାଁ ସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ବିଜେଡି ।

ଏପଟେ ଅଘୋଷିତ ବିଜୁଳି କାଟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ ବିଜେପି । ବିଜୁଳି କାଟ ପ୍ରତିବାଦରେ ଦୁଇଦିନିଆ ବିକ୍ଷୋଭକୁ ଓହ୍ଲାଇଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହାତରେ ବିଂଚଣା ଧରି ପ୍ରତିବାଦ କରିଛନ୍ତି । ଆଉ କେତେ ଘଂଟା ବିଦ୍ୟୁତ୍ କାଟ କଷ୍ଟ ସହିବାକୁ ହେବ, ଶ୍ୱେତପତ୍ର ଜରିଆରେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି ।

ଏପଟେ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଆସନ୍ତା ୧୯ ତାରିଖରେ ଗ୍ରୀଡକୋ କାର୍ଯ୍ୟାଳୟ ଘେରାଉ କରିବା ସହ ପରେ ସବୁ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ରାଜ୍ୟରେ ବିଦ୍ୟୁତ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦ହଜାର କୋଟି ଆସିଥିଲା ।  ସେଥିରୁ ଟାଟାକୁ ମାତ୍ର ୫ ହଜାର କୋଟି ଟଙ୍କା ଦିଆଯାଇଥିଲା ବେଳେ ବାକି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

୨୦୨୪ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି । ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ପରସ୍ପର ଉପରେ ବିଷ ଉଦ୍ଗାର କରିଛନ୍ତି ବିରୋଧୀ ଓ ଶାସକ ଦଳର ନେତା ।