ମା’ ହାତରୁ ପୁଅକୁ ଝାମ୍ପିନେଲା କୁମ୍ଭୀର: ମିଳିଲା କ୍ଷତବିକ୍ଷତ ମୃତଦେହ

1,465

କନକ ବ୍ୟୁରୋ: ମାଆ ହାତରୁ ପୁଅକୁ ଟାଣିନେଲା କୁମ୍ଭୀର । ପହଲି ରଜ ପାଇଁ ସବୁବେଳେ ଉତ୍ସବର ପରିବେଶ ଥିବା ବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଅଂଚଳରୁ ଏହି ଦୁଃଖଦ ଖବର ଆସିଛି । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ମା’ ସାମ୍ନାରେ ପୁଅକୁ ଟାଣି ନେଇ ମାରିଦେଇଛି କୁମ୍ଭୀର । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପ୍ରଶାସନ ପଦକ୍ଷେପ ନେଉନଥିବା ଗାଁଲୋକେ ଅଭିଯୋଗ କରିଛନ୍ତିି ।

ପହଲି ରଜ ପାଳିବା ପାଇଁ ସାରା ରାଜ୍ୟ ଯେତେବେଳେ ସକାଳୁ ସକାଳୁ ପ୍ରସ୍ତୁତ ହେଉଥିଲା, ସେତିକିବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଅଂଚଳରୁ ଆସିଥିଲା ଏହି ଦୁଃଖଦ ଖବର ।

ସକାଳ ପ୍ରାୟ ୭ଟା ୩୦
ନିମପୁର, ପଟ୍ଟାମୁଣ୍ଡାଇ
ସକାଳ ସକାଳୁ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ ମା’ ପୁଅ । ଆଉ ପାଣିରେ ପଶିବା ମାତ୍ରେ ନଦୀରେ ଛକି ରହିଥିବା କୁମ୍ଭୀରଟି ୧୦ବର୍ଷର ଆଶୁତୋଷକୁ ଟାଣି ନେଇଥିଲା । ପାଖରେ ଗାଧୋଉଥିବା ମା’ ପୁଅ ବୁଡି ଯାଉଥିବା ଭାବି ହାତ ଧରି ଟାଣିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୁଅଟି ହାତରୁ ଖସି ଯାଇଥିଲା । ଆଶୁତୋଷ ବଂଚାଅ ବଂଚାଅ ଚିକ୍ରାର କରିଥିଲେ ବି ତାକୁ କୁମ୍ଭୀର ମୁହଁରୁ ଛଡାଇ ଆଣିବା ସମ୍ଭବ ହୋଇନଥିଲା । ନଦୀର ଅଥଳ ପାଣି ଭିତରକୁ ଟାଣି ନେଇଥିଲା କୁମ୍ଭୀର ।

ଆଶୁତୋଷକୁ ପାଣି ଭିତରେ ବୁଡାଇ କ୍ଷତବିକ୍ଷତ କରିବା ପରେ, ଉପରକୁ ଉଠି ପହଁରିଥିଲା କୁମ୍ଭୀର । ପ୍ରତ୍ୟକ୍ଷଦର୍ଶୀକଙ୍କ କହିବା ଅନୁସାରେ କୁମ୍ଭୀରଟି ଆଶୁତୋଷକୁ ପାଣିରେ ଦୁଇରୁ ତିନି ଥର ବୁଡାଇଥିଲା । ଆଉ ତାପରେ ଉଠି ପହଁରିଥିଲା । ହେଲେ, ସେତବେଳକୁ ଚାଲିଯାଇଥିଲା ଛୋଟ ପିଲାଟିର ଜୀବନ । ବହୁ ଖୋଜା ଖୋଜି ପରେ ଉଦ୍ଧାର ହୋଇଥିଲା ଆଶୁତୋଷଙ୍କ ମୃତଦେହ । ହେଲେ, ମୃତଦେହ ଉଦ୍ଧାର ପରେ ବି ନଦୀରେ ଖୋଜି ବୁଲୁଛି କୁମ୍ଭୀର ।

କୁମ୍ଭୀର ଆକ୍ରମଣରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଗାଁଲୋକଙ୍କ ପ୍ରତିବାଦ । କ୍ଷତିପୂରଣ ଦାବିରେ ପଟ୍ଟାମୁଣ୍ଡାଇ-କଟକ ରାସ୍ତାରେ ମୃତଦେହ ରଖି ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତିି ।

ମା’ ଆଗରୁ ପୁଅକୁ କୁମ୍ଭୀର ଝାମ୍ପିନେବା ନେବା ପରେ, ବାହୁନି ବାହୁନି କାନ୍ଦୁଛି ମା । କାନ୍ଦବୋବାଳିରେ ଫାଟି ପଡୁଛି ସମଗ୍ର ଅଂଚଳ । ପହଲି ରଜରେ ଏଭଳି ଅଘଟଣ ଘଟିଥିବାରୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।