ଓଡ଼ିଶାରେ ଶୁଖିଲା ପଡ଼ିଛି ମହାନଦୀ : ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରି ପାଣି ଅଟକାଇବାରେ ଭୁଲ ନଥିବା କହିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ତଳ ମୁଣ୍ଡରେ ବ୍ୟାରେଜ କରି ଜଳ ଅଟକାଇବାକୁ ଦେଲେ ପ୍ରସ୍ତାବ

252

କନକ ବ୍ୟୁରୋ : ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି । ଏଥିରେ ଭୁଲ କେଉଁଠି ରହିଲା । କାହିଁକି ତାଙ୍କୁ ଦୋଷ ଦିଆଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କ’ଣ କରିଛନ୍ତି ବୋଲି ସେ ଆହୁରୀ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ଚାହିଁଥିଲେ କେନ୍ଦ୍ର ସରକାରଙ୍କ ଏବାବଦରେ ପ୍ରସ୍ତାବ ଦେଇପାରିଥାନ୍ତେ । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି । ସେ ଆହୁରୀ କହିଛନ୍ତି, ଯଦି ରାଜ୍ୟ ସରକାର ଏ ବାବଦରେ ଆମକୁ ପ୍ରସ୍ତାବ ଦିଅନ୍ତି, ତେବେ ଏହା ଉପରେ କାର୍ଯ୍ୟ କରାଯିବ । ୧୯୬୧ରେ ଗୁଡାରି ଠାରେ ପାଣି ଡଙ୍ଗର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ । ତେଣୁ ରାଜ୍ୟ ସରକାର କୁମ୍ଭିର କାନ୍ଦଣା ନ କାନ୍ଦି କାମ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମନ୍ତ୍ରୀ ଆଜି ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତର ଦେଇ ଏଭି କହିଛନ୍ତି । ତେବେ ଦେଶର ସବୁ ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୭୫ଟି ଲେଖାଏଁ ଜଳାଶ୍ରୟ ନିର୍ମାଣ କରାଯିବ ବୋଲି ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଟୁ ଘୋଷଣା କରିଛନ୍ତି