ହନୁ ନିଜେ ଆସିଲା ହସ୍ପିଟାଲ । ଅସ୍ତ୍ରୋପଚାର ପରେ ଆପେ ଆପେ ପଳାଇଲା

1,678

କନକ ବ୍ୟୁରୋ: ହସ୍ପିଟାଲର ପ୍ରଥମ ରୋଗୀ ହନୁମାଙ୍କଡ । ଆପେ ଆପେ ହସ୍ପିଟାଲ ଆସିଲା । ଡାକ୍ତରଙ୍କ ଚେୟାରରେ ବସିଲା । ଆଉ ଅସ୍ତ୍ରୋପଚାର ପରେ ମନକୁ ମନ ପଳାଇଲା ।
ଆମେ କହୁଛୁ ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟ କଥା । ଏଠାରେ ପ୍ରଥମ ରୋଗୀ ପାଲଟିଛି ହନୁ ମାଙ୍କଡ । ହନୁକୁ ଚିକିତ୍ସା ପାଇଁ କେହି ଆଣିନଥିଲେ ବରଂ ହନୁ ମାଙ୍କଡଟି ଆପେ ଆପେ ହସ୍ପିଟାଲ ଆସିଥିଲା । ଆଶ୍ଚର୍ଯ୍ୟର କଥା ଯନ୍ତ୍ରଣା ଭୋଗୁଥିବା ହନୁର ଚିକିତ୍ସା ତଥା ଅସ୍ତ୍ରୋପଚାର ପରେ ସେ ଆପେ ଆପେ ସେଠାରୁ ପଳାଇଥିଲା । ଖାଇବାକୁ ଦେଉଥିଲେ ଖାଉନଥିଲା କି କେହି ଘଉଡାଇଲେ ବି ଯାଉନଥିଲା ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ମାଙ୍କଡଟିର ବ୍ୟବହାର । ଯେମିତି ଡାକ୍ତରଙ୍କୁ ଦେଖିଲା ତାଙ୍କ ହାତ ଧରିପକାଇଥିଲା । ସତେ ଯେମିତି କିଛି କହିବାକୁ ଚାହୁଁଥିଲା । ତା’ର ପ୍ରାଇଭେଟ ପାର୍ଟରେ କିଛି ସମସ୍ୟା ଥିବାରୁ ହନୁଟି ଯନ୍ତ୍ରଣା ଭୋଗୁଥିବା ଡାକ୍ତର ଓ ଅନ୍ୟ ଷ୍ଟାଫ୍ ଜାଣିପାରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ହନୁର ଅସ୍ତ୍ରୋପଚାର । ଗୁୁରୁବାର ପଶୁ ଚିକିତ୍ସାଳୟର ଉଦଘାଟନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟର ଉଦଘାଟନ ହେବାକୁ ଥିଲା । ଉପସ୍ଥିତ ଥିଲେ ସୋଆ କୁଳପତି ଡା. ଅଶୋକ ମହାପାତ୍ର ଓ ଅନ୍ୟ କର୍ମଚାରୀ । ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଅପେକ୍ଷା ଥିଲା କୃଷି ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବାଟକୁ । ମନ୍ତ୍ରୀ ଆସିଲେ ଫିତା କଟା ହେବ । ଏତିକିବେଳେ ପାଖ ଏକ ଗଛରୁ ଡେଇଁପଡିଲା ଏକ ହନୁ ମାଙ୍କଡ । ହସ୍ପିିଟାଲ ଭିତରକୁ ପଶିଯିବାରୁ ସମସ୍ତେ ଡରିଯାଇଥିଲେ । କାଳେ ଗୋଡେଇବ, ପାଗଳା ମାଙ୍କଡଟା ହୋଇଥିବ! କାଳେ କାମୁଡିଦେବ! ।ହେଲେ ହନୁ ଆସି ଚୁପଚାପ ହୋଇବସିଗଲା ଡାକ୍ତରଙ୍କ ଚେୟାର ଉପରେ । ଯାହାକୁ ଦେଖିଲା ଖାଲି ଜଳୁଜୁଳୁ ହୋଇ ଚାହୁଁଥିଲା ।

ପ୍ରଥମେ ଡରରେ ହନୁ ପାଖକୁ କେହି ଗଲେନାହିଁ । ହେଲେ ଯେତେବେଳେ ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର ଅସିଲେ ହନୁ ବିକଳରେ ତାଙ୍କ ହାତକୁ ଧରିପକାଇଥିଲା । ପରେ ଯେତେବେଳେ ପଶୁ ଚିକିତ୍ସକ ଆସିଲେ ତାଙ୍କ ହାତ ବି ଧରିଲା । ପୁରା ଟିମ୍ ହନୁର ଶରୀରକୁ ଅନୁଧ୍ୟାନ କରିବା ପରେ ତାର ଲିଙ୍ଗଗତ ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ଗୋଟେପଟେ ଉଦଘାଟନ କାର୍ଯ୍ୟ ଚାଲିଥିବାବେଳେ ଆରପଟେ ହନୁର ଅପରେସନ୍ ଆରମ୍ଭ ହୋଇଥିଲା । ଶେଷରେ ସୁସ୍ଥ ହେବା ପରେ ହନୁ ଆପେ ଆପେ ଚାଲିଯାଇଥିଲା ।

ସୋଆ ପଶୁ ଚିକିତ୍ସଳୟରେ ହନୁ ଥିଲା ପ୍ରଥମ ରୋଗୀ । ହେଲା ତାର ବ୍ୟବହାର କୌଣସି ମଣିଷଠାରୁ କିଛି କମ୍ ନଥିଲା । ତାର ବ୍ୟବହାର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସତେ ଯେମିତି ତାକୁ କେହି କହିଦେଇଥିଲା ଯେ, ଏଠାକୁ ଗଲେ ହିଁ ତାର ଦେହ ଭଲ ହୋଇଯିବ, ଯନ୍ତ୍ରଣା ଦୂର ହୋଇଯିବ ।