ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ ଆଡେଇଗଲା ଜେଡିୟୁ ।

186

କନକ ବ୍ୟୁରୋ: କଂଗ୍ରେସକୁ ମୁହଁ ମୋଡ଼ିଦେଲା ନୀତୀଶ କୁମାରଙ୍କ ଜେଡିୟୁ । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି ନିଷ୍ପତ୍ତି ନେଇଛି । ତେଣୁ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହେବାର ନାହିଁ ବୋଲି ଦଳର ନେତା ତଥା ମନ୍ତ୍ରୀ ସଂଜୟ କୁମାର ଝା ରୋକଠୋକ୍ କହିଛନ୍ତି । ଆରଜେଡି ଯଦି ଚାହିଁବ, ତାହେଲେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହୋଇପାରିବ ବୋଲି ଜେଡିୟୁ ନେତା କହିଛନ୍ତି ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଟିଏମସି ଆସନ ବୁଝାମଣା କରିବ ନାହିଁ ବୋଲି କହି ସାରିଛି । ସେହିପରି ପଞ୍ଜାବରେ ଆପ୍ ଓ ମହାରାଷ୍ଟ୍ରରେ ଉଦ୍ଧବ ସେନା ଗୋଷ୍ଠୀ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ରାଜିନଥିବା ଜଣାପଡିଛିି । ବିହାରରେ ମୋଟ ୪୦ ଲୋକସଭା ଆସନ ରହିଛି । ୨୦୧୯େରେ ବିଜେପି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢିଥିଲେ । ବିଜେପି ୧୭ଟି, ଜେଡିୟୁ ୧୬ଟି ଆସନରେ ନିର୍ବାଚନ ଜିତିଥିଲା । କଂଗ୍ରେସ ଗୋଟିଏ ଏବଂ ଲୋକ ଜନଶକ୍ତି ପାର୍ଟି ୬ଟି ସାଂସଦ ଜିତିଥିଲେ । ବଡ଼କଥା ହେଉଛି ଇଣ୍ଡିଆ ମେଣ୍ଟରେ ବଡ଼ ଦଳ କଂଗ୍ରେସ । ରାହୁଲ ଗାନ୍ଧୀ ସାରା ଭାରତରେ ନ୍ୟାୟ ଯାତ୍ରା କରି ଭୋଟ୍ ବ୍ୟାଙ୍କ ବଢାଇବାକୁ ଯୋଜନା କରୁଛନ୍ତି । କିନ୍ତୁ ଏହି ସମୟରେ ମେଂଟରେ ଆସନ ବୁଝାମଣାକୁ ନେଇ ଯେଉଁ ସ୍ଥିତି ଉପୁଜିଲାଣି ତାହା ନିର୍ବାଚନ ପୂର୍ବରୁ ଚିନ୍ତାଜନକ ।