ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ ଅଘଟଣ । ଦଳାଚକଟାରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ।

127

କନକ ବ୍ୟୁରୋ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ ଅଘଟଣ । ଶନିବାର ରାତିରେ ହାଲୋୱିନ ପାର୍ଟି ପାଳନ ବେଳେ ଦଳାଚକଟା ହୋଇଛି । ଆଉ ଏହି ଧାଁ ଦୌଡ ଭିତରେ କିିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ଶେଷ ଖବର ସୁଦ୍ଧା ମୋଟ୍ ୧୫୧ ଜଣଙ୍କର ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଶ୍ୱାସରୁଦ୍ଧରୁ ପ୍ରାଣ ହରାଇଛନ୍ତି । ପ୍ରାୟ ୧୫୦ ଗୁରୁତର ହୋଇପଡିଥିବା ସୂଚନା ରହିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ୩୦୦ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ । ପ୍ରାୟ ୪୦୦ କର୍ମଚାରୀ ଗୁରୁତରମାନଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ ହୋଇଥିଲେ । ସିଓଲର ୟଙ୍ଗସାନ ଅଗ୍ନିଶମ ବିଭାଗର ମୁଖ୍ୟ ଚୋଇ ସେଙ୍ଗ ବମ କହିଛନ୍ତି ଯେ, ସିଓଲର ରାଜରାସ୍ତାରେ ଏହି ପାର୍ଟିକୁ ସ୍ୱାଗତ କରିବା ପାଇଁ ଲୋକେ ଧାଡିରେ ଆସୁଥିଲେ । ତେବେ ହାମିଲଟନ ହୋଟେଲ ନିକଟରେ ଲୋକ ପହଞ୍ଚିବା ପରେ ଗହଳି ବଢ଼ିବା ସହିତ ରାସ୍ତା ସଂକୀର୍ଣ୍ଣ ଥିବାରୁ ଦଳାଚକଟା ହୋଇଯାଇଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ପରେ ସେମାନେ ମୃତ ବୋଲି ଜଣାପଡିଥିଲା ।

ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ଇଓଲ ଘଟଣାରେ ଦୁଃଖ ପ୍ରକାଶ କରି କିଭଳି ନିରାପଦରେ ପାଳନ କରାଯିବ ଓ ଗୁରୁତରମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠିକାର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ଇଟାଓନ ଷ୍ଟ୍ରିଟରେ ପାର୍ଟି ପାଳନ ଅବସରରେ ରାଲିରେ ପ୍ରାୟ ୧ ଲକ୍ଷ ଲୋକ ଆସୁଥିଲେ । ଅଧିକ ଗହଳି ଯୋଗୁ ଦଳାଚକଟା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କୋଭିଡ୍ ପାଇଁ ହାଲୋୱିନ ପାର୍ଟି ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ଆଉ ଏବେ ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ହାଲୋୱିନ ପାର୍ଟିର ଆୟୋଜନ ହୋଇଥିଲା । ନଜର ପକାନ୍ତୁ ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା କ’ଣ ଘଟିଛି….

  • ଦଳାଚକଟାରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି
  • ୯୭ ମହିଳା ଓ ୫୪ ଜଣ ପୁରୁଷଙ୍କ ଜୀବନ ଯାଇଛି
  • ମୃତକଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ
  • ମୃତକଙ୍କ ମଧ୍ୟରେ ୧୯ ଜଣ ବିଦେଶୀ ନାଗରିକ ଅଛନ୍ତି
  • ୫୦ରୁ ଅଧିକ ଶ୍ୱାସରୁଦ୍ଧରୁ ପ୍ରାଣ ହରାଇଛନ୍ତି
  • ପ୍ରାୟ ୧୫୦ ଗୁରୁତର ହୋଇପଡିଥିବା ସୂଚନା
  • ୩୦୦ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ
  • ପ୍ରାୟ ୪୦୦ କର୍ମଚାରୀ ଗୁରୁତରମାନଙ୍କୁ ଉଦ୍ଧାର କାମରେ ନିୟୋଜିତ
  • ରାତି ପ୍ରାୟ ୧୦ଟା ୨୦ରେ ହୋଇଥିଲା ଦଳାଚକଟା