ଅମରେଶ ନାୟକ ହତ୍ୟାକାଣ୍ଡ: ପୋଲିସକୁ ମିଳିଲା ବଡ ସୁରାକ । ଅମାବାସ୍ୟା ରାତିର ଅପରାଧୀଙ୍କ ହାତରେ ହାତକଡି ପକାଇବାକୁ ଗଳିକନ୍ଦି ଖୋଜୁଛି ପୋଲିସ

997

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଏୟାର୍ଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ ସୁରାକ । ହତ୍ୟାକାଣ୍ଡର ୩ ଦିନ ପରେ ପୋଲିସ ପାଇଛି ବଡ ସୁରାକ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଘଟଣାରେ ୨୦ରୁ ଅଧିକ ଅଭିଯୁକ୍ତ ଥିବା ବେଳେ ଦୁଇ ମୋଷ୍ଟ ୱାଣ୍ଟେଡକୁ ଚିହ୍ନଟ କରିଛି ପୋଲିସ ।


ତେବେ ୨ ମୋଷ୍ଟ ୱାଣ୍ଟେଡ ହେଉଛନ୍ତି ଶଙ୍କର ବସ୍ତିଆ ଓରଫ ଡିଜେ ରକ୍ ଏବଂ ରାଘବ ବାରିକ ଓରଫ ରଘୁଆ । ଏହି ୨ ଜଣଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ହାତରେ ହାତକଡି ପିନ୍ଧାଇବା ପାଇଁ ତନାଘନା ଚଳାଇଛି ପୋଲିସ ।
ହତ୍ୟାକାଣ୍ଡ ଘଟଣାର ଅଗ୍ରଗତି ନେଇ ଥାନାରେ ଜରୁରୀକାଳୀନ ବୈଠକ ବସିଥିବା ସୂଚନା ମିଳିଛି । ବୈଠକରେ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡିସିପି, ଏସିପି ଏବଂ ଆଇଆଇସି ସାମିଲ ଥିବା ବେଳେ ସ୍ପେଶାଲ ସ୍କ୍ୱାଡକୁ ତଦନ୍ତ ଭାର ଦିଆଯାଇଛି ।
ତେବେ ଦୀପାବଳି ରାତିରେ ଅମରେଶ ନାୟକଙ୍କୁ ଏକାମ୍ର କଲେଜ ପାଖରେ ଅର୍ଥାତ ଏୟାରଫିଲ୍ଡ ଥାନାରୁ ମାତ୍ର ୪ ଶହ ମିଟର ଦୂରରେ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ । ବାଣ ଫୁଟାଇବାକୁ ଯାଇଥିବା ବେଳେ ତାଙ୍କୁ ନିର୍ମମ ହତ୍ୟା କରିଥିଲେ ଦୁର୍ବୃତ୍ତ ଆଉ ହତ୍ୟା ପରେ ତାଙ୍କ ଘରେ ପୁଅ ମୃତ୍ୟୁର ଖବର ବି ଦେଇଥିଲେ ।

ସେପଟେ ଆଜି ସେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଦେଖିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଦେବପ୍ରସାଦ ସେଠୀ । ୧୫ରୁ ୨୦ ଜଣ ଅମରେଶଙ୍କୁ ହତ୍ୟା କରିଥିବା ବେଳେ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହାଣି ଦେବେ ବୋଲି ଧମକ ଦେଇଥିଲେ ।