କ୍ୟାସଲେସକୁ ଗୁରୁତ୍ୱ ! ଅନଲାଇନରେ ରେଳ ଟିକେଟ୍ କଲେ ୧୦ଲକ୍ଷର ଦୁର୍ଘଟଣା ବୀମା

38

କନକ ବ୍ୟୁରୋ : ଲାଭଦେବ ଡିଜିଟାଲ୍ କାରବାର । କ୍ୟାସଲେସ୍ କାରବାର ନେଇ ନୂଆ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଏନେଇ ସରକାର ୧୧ଟି ଘୋଷଣା କରିଛନ୍ତି । ଡିଜିଟାଲ୍ ପେମେଂଟରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ୦.୭୫ ପ୍ରତିଶତ ରିହାତି ମିଳିବ । ଅର୍ଥାତ୍ କାର୍ଡ ବା ଇ-ୱାଲେଟରେ ଶହେ ଟଙ୍କାର ପେଟ୍ରୋଲ ବା ଡିଜେଲ କିଣିଲେ ଆପଣଙ୍କୁ ୭୫ ପଇସାର ରିହାତି ମିଳିବ ।

ସେହିପରି ଇ-ପେମେଂଟ ଜରିଆରେ ରେଲୱେ ଟିକେଟ କିଣିଲେ ୦.୫ ପ୍ରତିଶତ ରିହାତି ମିଳିବ । ଅର୍ଥାତ୍ ୧୦୦ ଟଙ୍କାର ଟିକେଟ ପାଇଁ ଆପଣଙ୍କୁ ୯୫ ଟଙ୍କା ଦେବାକୁ ପଡିବ । ଏହା ଆସନ୍ତା ଜାନୁଆରୀ ୧ରୁ ଲାଗୁ ହେବ । ଅନଲାଇନରେ ରେଳ ଟିକେଟ କିଣିଲେ ଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ବୀମା ମିଳିପାରିବ । ଏହା ସହ ଅନଲାଇନ୍ ଟିକେଟ କିଣିଲେ ଯାତ୍ରୀଙ୍କୁ କ୍ୟାଟେରିଂ ଓ ରେଳ ଷ୍ଟେସନ ସ୍ଥିତ ବିଶ୍ରାମାଗାରରେ ୫ ପ୍ରତିଶତ ରିହାତି ମିଳିବ । କାର୍ଡ ବ୍ୟବହାର କରି କାରବାର କଲେ ୨ ହଜାର ଟଙ୍କା ଯାଏଁ କୌଣସି ସେବାକର ଲାଗିବ ନାହିଁ ।

ଅନ୍ୟପଟେ ଇ-ପେମେଂଟରେ ସାଧାରଣ ବୀମାରେ ୧୦ ପ୍ରତିଶତ ଓ ଜୀବନ ବୀମାରେ ୮ ପ୍ରତିଶତ ରିହାତି ମିଳିବ । ଅର୍ଥାତ୍ ଇ-ପେମେଂଟ କଲେ ଆପଣ ସାଧାରଣ ବୀମାରେ ୧୦୦ ଟଙ୍କା ପ୍ରିମିୟମରେ ୧୦ ଟଙ୍କା ରିହାତି ଏବଂ ଜୀବନ ବୀମା ପ୍ରିମିୟମରେ ୮ ଟଙ୍କା ରିହାତି ପାଇପାରିବେ । ସରକାରୀ ସଂସ୍ଥା ଡିଜିଟାଲ ପେମେଂଟ ଉପରେ କୌଣସି ଚାର୍ଜ ଲଗାଇବେ ନାହିଁ ।

ସେହିପରି ଟୋଲ୍ ଗେଟରେ ଡିଜିଟାଲ ପେମେଂଟ କଲେ ୧୦ ପ୍ରତିଶତ ରିହାତି ମିଳିବ । ଏପରିକି ୮ ହଜାରରୁ ଅଧିକ ବସବାସ କରୁଥିବା ଗାଁକୁ ସରକାର ୨ଟି ଲେଖାଏଁ ସ୍ପାଇପ୍ ମେସିନ୍ ବା ପିଓଏସ ଯୋଗାଇବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ବିମୁଦ୍ରାକରଣ ଘୋଷଣାର ମାସକ ପରେ କ୍ୟାସ୍ଲେସ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏପରି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।