ବୋହୂ ଭାବେ ଯାଇଥିଲେ, ବିଧାୟିକା ହୋଇ ଶାଶୂଘରକୁ ଫେରିଲେ ବର୍ଷା ସିଂ ବରିହା । ଆଲିଙ୍ଗନ କରି ସ୍ନେହରେ ସ୍ୱାଗତ କଲେ ଶ୍ୱଶୁର ରମା ରଂଜନ ବଳିଆର ସିଂ ।

236

କନକ ବ୍ୟୁରୋ: ପଦ୍ମପୁରରେ ବିଜୟ ପରେ ଶାଶୂଘରେ ପହଞ୍ଚିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଶାଶୂଘରେ ପହଞ୍ଚିବା ପରେ ଶାଶୂ, ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି ବର୍ଷା । ଆଉ ସ୍ନେହରେ ତାଙ୍କୁ ଆଲିଙ୍ଗନ କରିନେଇଛନ୍ତି ଶ୍ୱଶୁର ରମା ବଳିଆର ସିଂହ । ତେବେ ପଦ୍ମପୁର ଲଢେଇରେ ବିଜୟୀ ହେବା ପରେ ବର୍ଷାଙ୍କ ପାଇଁ ଏବେ ଆରମ୍ଭ ହେବ ଅସଲ ପରୀକ୍ଷା । କାରଣ ପଦ୍ମପୁରବାସୀଙ୍କ ଆଶା, ଆକାଂକ୍ଷା ରହିଛି ବର୍ଷାଙ୍କ ପାଖରେ ।

୩ ସପ୍ତାହ ଧରି ରାଜନୀତିର ଗୋଲକଧନ୍ଦା ଭିତରେ ଘରଠାରୁ ଦୂରେଇ ରହିବା ପରେ, ବିଜୟ ତିଳକ ପିନ୍ଧି ଶାଶୂଘରକୁ ଫେରିଛନ୍ତି ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବୋହୂ ଭାବେ ଯାଇଥିଲେ ଏବେ ବିଧାୟିକା ହୋଇ ଘରକୁ ଫେରିଛନ୍ତି । ତେବେ ଘରକୁ ଫେରିବା ପାଇଁ ବର୍ଷାଙ୍କ ମନରେ ଯେତିକି ଭାବପ୍ରବଣତା ଥିଲା, ସେତିକି ଉତ୍କଣ୍ଠାର ସହ ତାଙ୍କୁ ଅପେକ୍ଷା କରିଥିଲେ ତାଙ୍କ ଶାଶୂ-ଶ୍ୱଶୁର ।

ଘରେ ପହଞ୍ଚିବା ପରେ ଶାଶୂ ଓ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ବର୍ଷା । ସବୁଠୁ ନିଆରା ଦୃଶ୍ୟ ଥିଲା, ଶ୍ୱଶୁର ତଥା ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କୁ ମୁଣ୍ଡିଆ ମାରିବା ପରେ ସେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଏହି ଭାବାବେଗପୂର୍ଣ୍ଣ ଦୃଶ୍ୟ ହିଁ ବୟାନ କରୁଥିଲା, ଶାଶୂଘର ଘର ସହ ବର୍ଷାଙ୍କ ନିବିଡ଼ ସଂପର୍କ ।

ପଦ୍ମପୁର ଲଢ଼େଇରେ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି ବର୍ଷା । ତେବେ ଏବେ ଆରମ୍ଭ ହେବ ଅସଲ ପରୀକ୍ଷା । କାରଣ ପଦ୍ମପୁରବାସୀଙ୍କ ଆଶା ଆକାଂକ୍ଷା ତାଙ୍କ ନିକଟରେ କେନ୍ଦ୍ରୀଭୂତ ହୋଇରହିଛି । ଶ୍ୱଶୁର ରମାରଞ୍ଜନଙ୍କ କହିବା କଥା, ବର୍ଷାଙ୍କର ରାଜନୈତିକ ଅଭିଜ୍ଞତା ନାହିଁ ସତ, କିନ୍ତୁ ସେ ବିଜୟ ସିଂ ବରିହାଙ୍କ ଝିଅ ହୋଇଥିବାରୁ ତାଙ୍କର ରହିଛି ରାଜନୀତିର ଅନୁଭବ ।

ନଭେମ୍ବର ୧୭ ତାରିଖରେ ପଦ୍ମପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଶାଶୂଘରଠାରୁ ଦୂରରେ ରହି ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିଲେ ବର୍ଷା । ଏହା ସାଧାରଣ ଉପନିର୍ବାଚନ ନଥିଲା । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ହୋଇଥିଲା ସିଧା ଟକ୍କର । ଶେଷରେ ବର୍ଷାଙ୍କ ଉପରେ ହିଁ ଆଶୀର୍ବାଦର ବର୍ଷା କରିଛନ୍ତି ପଦ୍ମପୁରବାସୀ ।