ଏ ଯୁଗର ଶ୍ରବଣ କୁମାର ବାରିପଦାର କାର୍ତ୍ତିକ : ବୃଦ୍ଧ ବାପା ମା’ଙ୍କୁ କାନ୍ଧରେ ବୋହି ଚାଲିଲେ ୪୦ କିଲୋମିଟର

96

କନକ ବ୍ୟୁରୋ : ବାରିପଦାର କଚେରୀ ସାମ୍ନାରେ ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଦେଖିବା ଲୋକ ସହଜରେ ଗ୍ରହଣ କରିପାରୁନଥିଲେ । ଭାରରେ ବାପା ମାଆଙ୍କୁ କାନ୍ଧରେ ବୋହି କୋର୍ଟକୁ ଆସିଥିଲେ ଜଣେ ଯୁବକ । ତାଙ୍କ ଅଭିଯୋଗ ଥିଲା , ମିଛ ମାମଲା ଓ ବିଳମ୍ବିତ ନ୍ୟାୟ ପ୍ରକିୟାରେ ୧୦ ବର୍ଷ ହେଲା ସେ ଛନ୍ଦି ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ବୃଦ୍ଧ ବାପା-ମାଆଙ୍କୁ ସେ କେମିତି ସେବା କରିବେ ବୋଲି ବିଚାରପତିଙ୍କୁ ଗୁହାରି କରିଛନ୍ତି । ତେବେ ଯୁବକଙ୍କ କାନ୍ଧରେ ବୃଦ୍ଧ ବାପା-ମାଆଙ୍କୁ ଦେଖି ସମସ୍ତଙ୍କୁ ମନେ ପଡୁଥିଲା ସେ ଯୁଗର ଶ୍ରବଣ କୁମାର କଥା ।

ପୁଅ କାନ୍ଧରେ ବୃଦ୍ଧ ବାପା-ମାଆ । ଭାରରେ ବାପା ମାଆଙ୍କୁ ବୋହି ଆଗେଇ ଚାଲିଛି ଏ ଯୁଗର ଶ୍ରବଣ କୁମାର । ଭାରର ଗୋଟିଏ ପାଖରେ ୭୦ ବର୍ଷିୟ ବାପା, ଅନ୍ୟପାଖରେ ୬୫ ବର୍ଷିୟ ମାଆ । ରୋଗଗ୍ରସ୍ତ ଏବଂ ଶଯ୍ୟାଶାୟୀ । ହେଲେ କାନ୍ଧରେ ବାପା ମାଆଙ୍କୁ ବୋହି ଆଣିଥିବା ପୁଅର ଯନ୍ତ୍ରଣା ବି କିଛି କମ୍ ନୁହଁ । ଯେଉଁଥିପାଇଁ ୪୦ କିଲୋମିଟର ବାଟ ଚାଲି ବିଚାରପତିଙ୍କ ପାଖରେ ଗୁହାରି କରିବାକୁ ଆସିଛନ୍ତି ଏଯୁଗର ଶ୍ରବଣ କୁମାର ।

କାର୍ତ୍ତିକ କୁମାର । ବୟସ ୩୦ ବର୍ଷ । ଘର ମୟୂରଭଂଜ ଜିଲ୍ଲା ମୋରଡା ଥାନା ମୋହନପୁର । କାର୍ତ୍ତିକଙ୍କ କଥାରୁ ଯାହା ଅନୁମାନ କରାଯାଉଛି, ସେ ମାନସିକସ୍ତରରେ ଗଭୀର ଆଘାତ ପାଇଛନ୍ତି । ଗୋଟିଏ ପଟେ ପୁଲିସର ଜୁଲମ ଅନ୍ୟପଟେ ସାମାଜିକ ବାସନ୍ଦ, ତାଙ୍କୁ ମାନସିକ ସ୍ତରରେ ଭାଂଗି ଦେଇଛି । ମିଛ ମାମଲା ଓ ବିଳମ୍ବିତ ନ୍ୟାୟ ପ୍ରକିୟାରେ ୧୦ ବର୍ଷ ହେଲା ଘାଂଟି ହେଉଛନ୍ତି କାର୍ତ୍ତିକ । ଶେଷରେ ନ୍ୟାୟ ପାଇଁ ବୃଦ୍ଧ ବାପାମାଆଙ୍କୁ କାନ୍ଧରେ ବୋହି କୋର୍ଟଙ୍କ ଶରଣ ପଶିଛନ୍ତି ।

କାର୍ତ୍ତିକଙ୍କ ଅଭିଯୋଗ ପୁଲିସ ତାଙ୍କୁ ମିଥ୍ୟା ମାମଲାରେ ଫସାଇଦେଇଛି । ଯେଉଁଥିରୁ ୧୦ ବର୍ଷ ହେଲା ସେ ମୁକୁଳିପାରୁନାହାଁନ୍ତି । ଏଭଳି ସ୍ଥିତିରେ ବୃଦ୍ଧ ବାପା ମାଆଙ୍କ ସେବା ତାଙ୍କ ପାଇଁ ଅହୁରି କଷ୍ଟସାଧ୍ୟ ହୋଇପଡିଛି । ତେବେ ପୁଅ କାନ୍ଧରେ ବାପା ମାଆଙ୍କୁ ଦେଖି ମନେପଡି ଯାଉଛି ସେଦିନର ଶ୍ରବଣ କୁମାରର କଥା ।