ରାଜ୍ୟରେ କରୋନା ସଂକ୍ରମଣ ବଢିବା ସହ ସ୍ୱାସ୍ଥ୍ୟ ସେବା ଉପରେ ବଢୁଛି ଚାପ । ଗତ ତିନି, ଚାରି ଦିନ ହେଲା ଲଗାତାର ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

74

କନକ ବ୍ୟୁରୋ: ତୃତୀୟ ଲହର ଆରମ୍ଭ ହେବା ପରେ ଓଡ଼ିଶାରେ କୋଭିଡ଼ ହସ୍ପିଟାଲ ଗୁଡ଼ିକରେ ସ୍ଥିତି କେମିତି ଅଛି ଜାଣିବା ପାଇଁ ଆମେ ଚିକିତ୍ସାରତ ଡ଼ାକ୍ତରଙ୍କ ପ୍ରତିକ୍ରିୟା ନେଇଥିଲୁ । ଗତକିଛି ଦିନ ଭିତରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବା ଏବଂ ଓମିକ୍ରନ୍ ଭଳି ଏକ ନୂଆ ପ୍ରଜାତି ନେଇ କ’ଣ ପ୍ରଭାବ ରହିଛି ସେ ବିଷୟରେ ଡ଼ାକ୍ତର ମାନେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ବଢି ଚାଲିଥିବାବେଳେ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ଚାପ ବଢୁଛି । ବିଶେଷ କରି ଗତ ତିନି- ଚାରିଦିନ ହେଲା ସଂକ୍ରମଣ ଲମ୍ବ ଡିଆଁ ମାରିଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ତେବେ ଡାକ୍ତର ହରିଶ ଚୌଧୁରୀ କହିଛନ୍ତି…

  • ଭୁବନେଶ୍ୱର କିମ୍ସ କୋଭିଡ୍ ହସ୍ପିଟାଲରେ ୩ ଦିନରେ ୧୫% ବଢିଛି ରୋଗୀ ସଂଖ୍ୟା
  • ଦ୍ୱିତୀୟ ଲହରରେ ହସ୍ପିଟାଲ ଆସିବାକୁ ବିଳମ୍ବ କରିଥିବା ଆକ୍ରାନ୍ତ ଅଧିକ ଗୁରୁତର ହେଲେ
  • ସେହି ଭୟରେ ଲୋକେ ଭୟଭୀତ ହୋଇ ହସ୍ପିଟାଲକୁ ଆସୁଥିବା ଦେଖିବାକୁ ମିଳୁଛି
  • ବୟସ୍କ ବ୍ୟକ୍ତି ଲକ୍ଷଣଯୁକ୍ତ ହୋଇ ମେଡିକାଲରେ ଭର୍ତି ହେଉଛନ୍ତି

ଅନ୍ୟପଟେ ସଂକ୍ରମଣ ଯେଉଁ ହାରରେ ବ୍ୟାପୁଛି, ଫେବ୍ରୁଆରୀ ସୁଦ୍ଧା ଶୀର୍ଷ ଛୁଇଁପାରେ ବୋଲି ଆକଳନ କରାଯାଉଛି । ତେଣୁ ଜାନୁଆରୀ ଓ ଫେବ୍ରୁଆରୀ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆକଳନ କରୁଛନ୍ତି ଡାକ୍ତର ପ୍ରଦୀପ ଶେଖର ପାତ୍ର । ତାଙ୍କ କହିବା ମୁତାବକ…

  • ଭୁବନେଶ୍ୱର ସମ୍ ହସ୍ପିଟାଲରେ ପୂର୍ବରୁ ୩ରୁ ୪ଜଣ ଆଡମିଟ୍ ହେଉଥିଲେ
  • ଏବେ ପ୍ରତିଦିନ ୨୦ରୁ ୨୫ ଜଣ କରୋନା ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି
  • ତେବେ ଆଶ୍ୱସ୍ତିର କଥା ହେଲା ଆଇସିୟୁରେ ଅଧିକ ଭର୍ତ୍ତି ହେଉନାହାନ୍ତି
  • ସ୍ୱାସ୍ଥ୍ୟ ସେବା ଉପରେ କିଭଳି ଚାପ ରହିବ, ତାହା ଆଗାମୀ ୧୦ ଦିନରେ ସ୍ପଷ୍ଟ ହୋଇଯିବ

ସେହିପରି କରୋନାର ନୂଆ ଭୂତାଣୁ ଟିକାର ସୁରକ୍ଷା ବଳୟକୁ ଭେଦ କରିବାକୁ ସମର୍ଥ ହେଉଛି । ତେଣୁ ବ୍ୟାପକ ଟିକାକରଣ ସତ୍ତେ୍ୱ, ଅଚାନକ୍ କରୋନା ମାମଲା ବଢିବା ପଛରେ ଓମିକ୍ରନ୍ ଥିବା ନେଇ ସନ୍ଦେହ କରାଯାଉଛି । ଆଉ ଡାକ୍ତର ସମ୍ପଦ ଦାଶ କହିଛନ୍ତି…

  • ସପ୍ତାହେ ଭିତରେ କଟକ ଓ ଭୁବନେଶ୍ୱର ଅଶ୍ୱିନୀ ହସ୍ପିଟାଲ ରୋଗୀଙ୍କ ସଂଖ୍ୟା ବଢିଛି
  • ଆଉଟଡୋର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାବେଳେ ଆଡମିଶନ୍ ମଧ୍ୟ ବଢିଯାଇଛି
  • କିନ୍ତୁ ଏପର୍ଯ୍ୟନ୍ତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ଆଡମିଶନ୍ ବଢିନାହିଁ
  • ପୂର୍ବରୁ ୧୫ ଥିବା ରୋଗୀଙ୍କ ସଂଖ୍ୟା ଏବେ ଦୈନିକ ୩୦ରେ ପହଂଚି ଯାଇଛି
  • କୌଣସି ଜଟିଳ ରୋଗନଥିଲେ ମଧ୍ୟ ଯୁବକମାନେ କରୋନା ଆକ୍ରାନ୍ତ ହୋଇ ଆସୁଛନ୍ତି
  • ଆଗାମୀ ମାସେ ମଧ୍ୟରେ ଆହୁରି ୧୦% ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ରହିଛି

ତେବେ ୫ ତାରିଖ ସୁଦ୍ଧା ରାଜ୍ୟରେ କେତେ କରୋନା ବେଡ୍ ଉପଲବ୍ଧ ଅଛି ଓ କେତେ ଅକ୍ତିଆର ହୋଇଛି ତାର ଏକ ମୋଟାମୋଟି ଚିତ୍ର ଏହିଭଳି ।
୫ ତାରିଖ ସୁଦ୍ଧା କରୋନା ହସ୍ପିଟାଲ ସ୍ଥିତି

  • ବୟସ୍କଙ୍କ ପାଇଁ ଉପଲବ୍ଧ ୬,୬୮୫ ବେଡରୁ ଅକ୍ତିଆର ହୋଇଛି ୨୫୪ଟି
  • ଅର୍ଥାତ ରାଜ୍ୟରେ ଉପଲବ୍ଧ ହସ୍ପିଟାଲ ବେଡର ୩.୮୦% ଅକ୍ତିଆର ହୋଇଛି
  • ଆଇସିୟୁରେ ୧୪୩ ଜଣ ରୋଗୀ ଅଛନ୍ତି ଅର୍ଥାତ ୧୦.୪୧% ଅକ୍ତିଆର ହୋଇଛି
  • ଶିଶୁଙ୍କ ପାଇଁ ଉପଲବ୍ଧ ୧,୧୭୯ ବେଡରୁ ୧୦ଟି ଅର୍ଥାତ ୦.୮୫% ଅକ୍ତିଆର ହୋଇଛି